ନୂଆପଡ଼ା/ଖଡ଼ିଆଳ : ଘରେ ନିଆଁ ଲାଗି ଦମ୍ପତି ଜୀବନ୍ତ ଦଗ୍ଧ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ତୁକଲା ଗାଁରେ ଅଭାବନୀୟ ଘଟଣା ଘଟିଛି । ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଦଗ୍ଧ ହୋଇଯାଇଛନ୍ତି । ହେଲେ ସୌଭାଗ୍ୟବଶତଃ ୯ମାସର ଶିଶୁପୁତ୍ର ବର୍ତ୍ତିଯାଇଛି । ମୃତକ ହେଲେ ରାଜେଶ ପଟେଲ (୨୭) ଓ ସ୍ତ୍ରୀ ରୀମା ପଟେଲ(୨୫) ।
ସୋମବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ରିମା ରୋଷେଇ କରୁଥିବାବେଳେ କୌଣସି କାରଣ ବଶତଃ ହଠାତ ଘରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ରିମା ଓ ରାଜେଶ ନିଆଁରେ ଜୀବନ୍ତ ଜଳି ଯାଇଥିଲେ । ତେବେ ରାଜେଶଙ୍କ ବାପା ମକାରୁ ପଟେଲ ଓ ମା’ଗୀତା ପଟେଲ ୯ ମାସର ଶିଶୁପୁତ୍ରକୁ ଧରି ଅନ୍ୟ କୋଠରିରେ ଖେଳାଉଥିବା ବେଳେ ସେମାନେ ଏତେବଡ଼ ଅଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ବହୁକଷ୍ଟରେ ରାଜେଶ ଓ ରୀମାଙ୍କୁ ଉଦ୍ଧାର କରି ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ରାଜେଶ ଓ ରୀମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବିଦ୍ୟୁତ୍ ସର୍ଟସର୍କିଟରୁ ଘରେ ନିଆଁ ଲାଗିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବାବେଳେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
