ଯାଜପୁର : କାଣୀ ନଦୀରେ ବନ୍ୟା ଯୋଗୁଁ ୪ ଟି ପଂଚାୟତର ଲୋକେ ପ୍ରଭାବିତ । ଘରେ ବନ୍ୟା ପାଣି ପଶିଯିବାରୁ ଲୋକେ ହନ୍ତସନ୍ତ । ଅହିୟାସ ବଜାର କସବା ପଞ୍ଚାୟତ ନିକଟ କାଣୀ ନଦୀରେ ପ୍ରାୟ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଦଶରଥପୁର ପଞ୍ଚାୟତର ୪ଟି ବ୍ଲକ ପ୍ରଭାବିତ ହୋଇଛି । ଯାଜପୁର ଜିଲ୍ଲା ବୈତରଣୀ ନଦୀର ଶାଖା ହେଉଛି କାନି ନଦୀ । ସୋମବାର ଭୋର ଚାଲିଟା ସମୟରେ କାଣୀ ନଦୀରେ ଏକ ଘାଇ ହୋଇଥିଲା । ବିଳମ୍ବିତ ରାତିରେ ନଦୀ ବନ୍ଧରେ ପଡିଥିଲା ଘଳିଆ । ଯାହାକି ସକାଳୁ ଖାଇରେ ପରିଣତ ହୋଇଛି । ତେବେ ଏତେ ବଡ଼ ଖାଇ ହେବା ଫଳରେ ତଳିଆ ଅଞ୍ଚଳରେ ବନ୍ୟାପାଣି ପ୍ରବେଶ କରିଛି । ଯେପରି କି ମଲ୍ଲିକାପୁର, କପସା, ମହାନ୍ତିପାଟଣା ଆଦି ପଞ୍ଚାୟତ ପାଣିଘେରରେ ।
ସେହିପରି ବୈତରଣୀ ନଦୀରେ ପାଣି ଆସିବା ଯୋଗୁଁ ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତର ମୁଖ୍ୟ ରାସ୍ତାରେ ପାଣି ସୁଅ ଯୋଗୁଁ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ଅନ୍ୟପଟେ,ବୈତରଣୀ ନଦୀରେ ବନ୍ୟା ଜଳ ରବିବାର କମିଥିବା ବେଳେ ପୁଣି ବିଳମ୍ବିତ ରାତିରେ ବଢିବାରେ ଲାଗିଛି । କେନ୍ଦୁଝର ଓ ଆନନ୍ଦପୁରରେ ଲଗାଣ ବର୍ଷା ଭଦ୍ରକରେ ବନ୍ୟା ସ୍ଥିତି ସୃଷ୍ଟି କରିଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଅନିକଟ ନିକଟରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ସଖାଳ ସୁଦ୍ଧା ୧୮.୮୬ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି ।
ଆସନ୍ନ ବନ୍ୟା ଆଶଙ୍କା ଯୋଗୁଁ ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅଙ୍ଗନବାଡି କେନ୍ଦ୍ରଗୁଡିକୁ ୨ ଦିନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି I ଧାମନଗର ବ୍ଲକ ହସନାବାଦ୍ ଓ ଅର୍ଜୁନପୁର ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ସୋମବାର ଓ ମଙ୍ଗଳବାର ଦିନ ବନ୍ଦ୍ ରଖିବାକୁ ନିର୍ଦେଶ ଦେବା ସହ ଅର୍ଜୁନପୁର, ହସନାବାଦ୍ ଶୋହଡା ଓ ପଧାନି ପଞ୍ଚାୟତର ୨୫ ସ୍କୁଲ କୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି ।
