କଟକ: ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୁଇ ଅଭିଯୁକ୍ତ ରାମ୍ଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଶୋଇଙ୍କୁ ଗୁରୁବାର ଜେରା କରିଛି କ୍ରାଇମବ୍ରାଞ୍ଚ। ଚୌଦ୍ବାର ଜେଲରୁ ଅଣାଯାଇ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ଅପରାହ୍ଣ ୨ଟା ଜେରା ଆରମ୍ଭ ହୋଇଥିଲା। ଏହି ସମୟରେ ଉଭୟଙ୍କ ପାଖରୁ ଅନେକ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ରାମ୍ଜୀ ବାଦାମବାଡ଼ି ଅଞ୍ଚଳର ଜଣେ ବ୍ୟବସାୟୀ ହୋଇଥିବାବେଳେ ସନାତନ ହେଉଛନ୍ତି କୋରାପୁଟ ଏକ୍ସ- କ୍ୟାଡର ଶିକ୍ଷକ ସଂଘର ସଭାପତି। କ୍ରାଇମ୍ବ୍ରାଞ୍ଚ୍ର ଜଣେ ଏସ୍ପି ଓ ଦୁଇ ଜଣ ଡିଏସ୍ପିଙ୍କ ସମେତ ଜଣେ ଇନ୍ସପେକ୍ଟର ପୃଥକ୍ ଭାବେ ଦୁଇ ଅଭିଯୁକ୍ତଙ୍କୁ ଜେରା କରିଥିଲେ । ଅଧିକ ତଥ୍ୟ ହାସଲ ପାଇଁ ଶୁକ୍ରବାର ଯାଏଁ ବଢିଛି ରିମାଣ୍ଡ ଅବଧି ।
କ୍ରାଇମବ୍ରାଞ୍ଚ ଜେରା ସମୟରେ ରାୟଗଡ଼ାର ଶିକ୍ଷକ ନେତା ବିଜୟ ମିଶ୍ରଙ୍କଠାରୁ ସନାତନ ବିଶୋଇ ପ୍ରଶ୍ନ କିଣିଥିବା ସ୍ୱୀକାର କରିଛି । ଏଥିଲାଗି ସେ ପ୍ରଥମେ ପାଖାପାଖି ୧୫ ଜଣ ଶିକ୍ଷକଙ୍କଠାରୁ ଟଙ୍କା ଆଦାୟ କରି ବିଜୟ ମିଶ୍ରଙ୍କୁ ମୋଟା ଅଙ୍କର ଅର୍ଥ ଦେଇଥିବା କଥା ଜେରା ବେଳେ ମାନିଛି । ତେବେ ଦୁଇ ସେଟ୍ର ଅଧିକାଂଶ ପ୍ରଶ୍ନ ମିଳିଥିବାରୁ ପରବର୍ତ୍ତୀ ସମୟରେ ଅଧିକ ଶିକ୍ଷକଙ୍କୁ ହ୍ୱାଟସ୍ଆପ୍ରେ ପ୍ରଶ୍ନ ପଠାଇ ମୋଟା ଅଙ୍କର ଟଙ୍କା ଆଦାୟ କରିଥିବା ଏକ୍ସ କ୍ୟାଡର୍ ଶିକ୍ଷକ ସଂଘ ନେତା ବିଶୋଇ କହିଛି ।
ସେହିପରି ରିମାଣ୍ଡ୍ରେ ଆସିଥିବା ଅନ୍ୟତମ ଅଭିଯୁକ୍ତ ରାମଜୀ ଗୁପ୍ତା ଜଣେ ପେସାଦାର ପ୍ରଶ୍ନ ପ୍ରଘଟକାରୀ ଓ ଦଲାଲ୍ । ସେ ଓଟିଇଟି ପରି ବିଭିନ୍ନ ନିଯୁକ୍ତିମୂଳକ ପରୀକ୍ଷା ଆଗରୁ ପ୍ରଶ୍ନ ହାତେଇ ବିକ୍ରି କରି ମୁନାଫା କମାଇଥାଏ ବୋଲି ତଦନ୍ତକାରୀ ଟିମ୍ର ଜଣେ ଅଧିକାରୀ କହିଛନ୍ତି । ପ୍ରଥମ ଥର ପାଇଁ ତଦନ୍ତକାରୀ ସଂସ୍ଥା ହାତରେ ସେ ଧରାପଡ଼ିଛି। ଏହି ସମୟ ମଧ୍ୟରେ ଆଉ କିଛି ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି। ତେବେ ପ୍ରଶ୍ନ ପତ୍ର ବିକ୍ରି କେଳେଙ୍କାରୀ ଚେର କେଉଁ ଯାଏ ଲମ୍ବିଛି ତାହା ଜାଣିବା ପାଇଁ କ୍ରାଇମ୍ବ୍ରାଞ୍ଚ୍ ଆଜି ପୁଣି ଥରେ ସେମାନଙ୍କୁ ପଚରାଉଚରା କରିବ ।
ଆଜି ଅପରାହ୍ନରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ । ଏହା ପୂର୍ବରୁ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍ ଜିତନ୍ ମହାରଣା ଓ ଶିକ୍ଷକ ବିଜୟ ମିଶ୍ରଙ୍କୁ ରିମାଣ୍ଡ୍ରେ ଆଣି କ୍ରାଇମ୍ବ୍ରାଞ୍ଚ୍ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଅନ୍ୟପକ୍ଷରେ ଅତିରିକ୍ତ ଜିଲା ଦୌରାଜଜ ଅଦାଲତରେ ସମସ୍ତ ଅଭିଯୁକ୍ତଙ୍କର ଜାମିନ ଆବେଦନ ମାମଲାର ଶୁଣାଣି ଆସନ୍ତାକାଲି ହେବ।
