କଟକ : ଭିଜିଲାନ୍ସ ଜାଲରେ କଟକ ସିଡିଏମଓ ଅଫିସର ସିନିୟର୍ ଆସିଷ୍ଟାଣ୍ଟ । ସରକାରୀ ଅର୍ଥ ହେରଫେର ଅଭିଯୋଗରେ କଟକ ଚୌଦ୍ବାର ସିଡିଏମଓର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । କିଶୋର କୁମାରଙ୍କ ବାସ ଭବନ ,ଅଫିସ ସମେତ ଏକକାଳୀନ ୫ ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ I ଏହି ଚଢ଼ାଉରେ କଟକ ଭିଜିଲାନ୍ସର ୭ ଜଣିଆ ଟିମ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି ।
ସୂଚନାନୁସାରେ,୧ କୋଟି ୨୪ ଲକ୍ଷ ସରକାରୀ ଅର୍ଥ ହେରଫେର ଅଭିଯୋଗରେ କିଶୋର କୁମାର ସାହାଣୀଙ୍କ ନାଁରେ ସ୍ୱତନ୍ତ୍ର ଅଦାଲତଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହୋଇଥିଲା I ସେହି ଅନୁସାରେ ଶୁକ୍ରବାର ସକାଳେ କିଶୋର କୁମାରଙ୍କ ଜୋବ୍ରା ନୂଆସାହିସ୍ଥିତ ତିନିମହଲା ବାସଭବନ, ଚୌଦ୍ୱାର ପାଳସିଆସ୍ଥିତ ଅନ୍ୟ ଏକ ଘର ଓ କୁକୁଡ଼ା ଫାର୍ମ, ସିଡିଏମଓ (CDMO) ଅଫିସ, କଟକସ୍ଥିତ ତାଙ୍କ ଅଫିସ ରୁମ, ତୁଳସୀପୁର, କଟକସ୍ଥିତ ଶ୍ୱଶୁର ଘର, କିଶୋରନଗର, କଟକସ୍ଥିତ ପୈତୃକ ଘରେ ଚଢାଉ ଜାରି ରହିଛି।
ଏହି ଚଢାଉରେ ଭିଜିଲାନ୍ସର ୯ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ସାମିଲ ଅଛନ୍ତି I ବର୍ତ୍ତମାନସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ I
