ନୂଆଦିଲ୍ଲୀ : କଡାକଡି ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା । କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଯୋଗାଇ ଦିଆଗଲା Z + ସୁରକ୍ଷା । ଅଭିଯୋଗ ଶୁଣାଣି ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଲା ଗୃହ ମନ୍ତ୍ରଣାଳୟ । ଅଭିଯୋଗ ଶୁଣାଣି ସମୟରେ କାହାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିବାକୁ ଦିଆଯିବ ନାହିଁ ବୋଲି ସୂଚନା ଦିଆଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ ସବୁବେଳେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପରିଧାନ କରିବେ ଏବଂ ସିଆରପିଏଫ୍ ଯବାନମାନେ ତାଙ୍କ ସହିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ପରେ ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ସିକ୍ୟୁରିଟିକୁ ନେଇ ବିଚାର କରାଯିବ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସୂଚନାନୁସାରେ,ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସିଭିଲ ଲାଇନ୍ସ ସ୍ଥିତ ତାଙ୍କ ସରକାରୀ ବାସଭବନରେ ଜନଶୁଣାଣି କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଜଣକ ୪୧ ବର୍ଷୀୟ ଗୁଜରାଟ ରାଜକୋଟର ବାସିନ୍ଦା ରାଜେଶ ଖିମଜୀ । ଏହି ଆକ୍ରମଣ ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା । ଆଜି ଦିଲ୍ଲୀ ପୁଲିସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ପରିବର୍ତ୍ତନ କରିବ । ପୂର୍ବରୁ ଲୋକମାନେ ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଯୋଗାଯୋଗ କରୁଥିଲେ, ଏବେଠାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଦୂରରେ ରଖାଯିବ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବାକୁ ଥିବା ଅଭିଯୋଗ ଗୁଡିକ ପୂର୍ବରୁ ଯାଞ୍ଚ କରାଯିବ ।