ଜଗତସିଂହପୁର : ନାବାଳିକାଙ୍କୁ ବିବାହ କରି ନିର୍ଯାତନା ଦେଇ ଘରୁ ତଡ଼ିଦେବା ଘଟଣା । ଗିରଫ ହେଲେ ଅଭିଯୁକ୍ତ ଫେରାର ଏଏସଆଇ । ଏହି ଘଟଣାରେ ନିଲମ୍ବିତ ହୋଇ ୪ ମାସ ଧରି ଫେରାର ରହିବା ପରେ ରାଜ୍ୟ ବାହାରୁ ଏସଆଇ ଅମିତ ପାଢ଼ୀଙ୍କୁ ଗିରଫ କରିଛି ଜଗତସିଂହପୁର ପୋଲିସ ସ୍ପେଶାଲ ସ୍କ୍ୱାର୍ଡର ୪ ଜଣିଆ ଟିମ । ତେବେ ଅଭିଯୁକ୍ତ ଏଏସଆଇକୁ କେଉଁଠୁ ଗିରଫ କରାଯାଇଛି ତାର ସୂଚନା ଦିଆଯାଇ ନାହିଁ। ଆସନ୍ତାକାଲି ଅଭିଯୁକ୍ତ ପୋଲିସ ଏସଆଇଙ୍କୁ ଧରି ଜଗତସିଂହପୁରରେ ପହଞ୍ଚିବ ଟିମ୍।
ସୂଚନାନୁସାରେ,ଅଭିଯୁକ୍ତ ପୋଲିସ ଏଏସଆଇ ଅମିତ ପାଢ଼ୀଙ୍କ ଘର ବାଲେଶ୍ୱର ଜିଲ୍ଲା ରତେଇ ଗାଁରେ । ସେ ପୁରୀ ଥାନାରେ ସବ ଇନିସ୍ପେକ୍ଟର ଭାବରେ କାର୍ଯ୍ୟରତ ଥିଲେ । ଏହି ସମୟରେ ଜଗତସିଂପୁର ଅଂଚଳର ଜନୈକା ୧୦ମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ସହିତ ତାଙ୍କର ସୋସିଆଲ ମିଡିଆରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ସେ ନାବାଳିକାଙ୍କୁ ପ୍ରଥମେ ଏକ ମନ୍ଦିରରେ ଏବଂ ପରେ ଏକ ହୋଟେଲରେ ବିବାହ କରି ଘରକୁ ନେଇଥିଲେ । ପରେ ଅମିତଙ୍କ ସହ ତାଙ୍କ ପରିବାର ଲୋକେ ନାବାଳିକାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇ ଘରୁ ତଡ଼ିଦେଇଥିଲେ । ଏହି ଘଟଣାରେ ୪ ମାସ ପୂର୍ବରୁ ନାବାଳିକା ଏବଂ ତାଙ୍କ ମା’ ଜଗତସିଂପୁର ଥାନାରେ ଏତଲା ଦେଇଥିଲେ । ଏତଲା ପରେ ଅମିତ ୪ ମାସ ଧରି ଫେରାର ହୋଇଯାଇଥିଲେ । ଏ ବାବଦରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଥିଲା ଜଗତସିଂହପୁର ପୋଲିସ। ଏହି ଘଟଣାରେ ଜଗତସିଂପୁର ପୋଲିସର ଏକ ୪ ଜଣିଆ ଟିମ ଅନୁସନ୍ଧାନ ଜାରି ରଖିଥିବାବେଳେ ଗତକାଲି ତାଙ୍କୁ ରାଜ୍ୟ ବାହାରୁ ଗିରଫ କରିଥିବା ସୂଚନା ମିଳିଛି ।