ଳେନ୍ଦ୍ରପଡ଼ା : କେନ୍ଦ୍ରାପଡା ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣାରେ କ୍ଷତିପୂରଣ ଘୋଷଣା । ନାଳରେ ଫସି ଏକାଧିକ ମଇଁଷି ମୃତ୍ୟୁ ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ ପଟ୍ଟନାୟକ କ୍ଷତିପୂରଣ ଘୋଷଣା କରିଛନ୍ତି । କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗାଁର ୩ଜଣ ଚାଷୀଙ୍କର ଏକକାଳୀନ ୩୦ଟି ମଇଁଷିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪୨ଟିଙ୍କର ପତ୍ତା ମିଳୁନାହିଁ। ତେବେ କୁମ୍ଭୀର ଆକ୍ରମଣରେ ଘାଇଲା ହେବା ପରେ ପରସ୍ପର ଛନ୍ଦି ହୋଇ ମଇଁଷିମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ଘଟଣାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ଏକମାଣିଆ ଗ୍ରାମର ମଇଁଷିପାଳକ ଜଗନ୍ନାଥ ଦାସ, ଗଣେଶ ଦାସ ଓ ପରମାନନ୍ଦ ବିଶ୍ୱାଳଙ୍କ କହିବାନୁଯାୟୀ, ରବିବାର ସେମାନେ ୭୨ ମଇଁଷିଙ୍କୁ ଚରାଇବା ପାଇଁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଯୋରମୁହଁ ଦେଇ ନଦୀ ପଠାକୁ ନେଉଥିଲେ। ଏହି ସମୟରେ ହଠାତ ଏକ କୁମ୍ଭୀର ଗୋଟିଏ ମଇଁଷିକୁ ଆକ୍ରମଣ କରିଥିଲା। ଏହାଦ୍ୱାରା ମଇଁଷିମାନେ ଜୀବନ ବିକଳରେ ଧାଁଦଉଡ଼ କରିଥିଲେ। ଫଳରେ ନଦୀର ପ୍ରବଳ ସୁଅ ଓ କାଦୁଅରେ ଫଶି ପରସ୍ପର ଛନ୍ଦାଛନ୍ଦି ହୋଇ ପଡ଼ିଯିବାରୁ ଘଟଣାସ୍ଥଳରେ ୩୦ଟି ମଇଁଷିଙ୍କ ଜୀବନ ଚାଲିଯାଇଛି। ଏବଂ ଅନ୍ୟ ମଃଇଁଷି ମାନେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବା ଅନୁମାନ କରାଯାଉଛି I ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ବିଭାଗ ମିଳିତ ଟିମ ଦୁଇଟି ମୃତ ମଇଁଷିଙ୍କର ଶବ ବ୍ୟବଛେଦ କରିଥିଲେ । ବ୍ୟବଛେଦ ପରେ ଲିଭର, ଖାଦ୍ୟନଳି, କିଡ଼ନୀ, ସ୍କିନ, ପେଟରେ ଥିବା ଖାଦ୍ୟ ଓ ପାଣି ନମୁନା ପରୀକ୍ଷା ପାଇଁ ଆନିମଲ ଇନଷ୍ଟିଚ୍ୟୁଟକୁ ପଠାଯାଇଛି । ଶବ ବ୍ୟବଛେଦ ରିପୋର୍ଟ ଓ ନମୁନା ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ।