କୋରାପୁଟ : କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ଯୁବକଙ୍କ ଚାପୁଡ଼ା ମାଡ । ଗତ ୧୪ ତାରିଖ ରାତିରେ କୋରାପୁଟ ବସଷ୍ଟାଣ୍ଡରେ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ବୈଠକ ଆୟୋଜନ କରାଯାଇଥିଲା। ଗୁଣ୍ଡିଚା ମନ୍ଦିରରୁ ବାହାରି କୋରାପୁଟ ବସଷ୍ଟାଣ୍ଡରେ ପୋହଞ୍ଚି ଥିଲା ରାଲି। ମଶାଲ ରାଲିରେ କଂଗ୍ରେସ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସହ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ରାଜ୍ୟ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ପ୍ରମୁଖ ଯୋଗ ଦେଇଥିଲେ । ବସଷ୍ଟାଣ୍ଡରେ ରାଲି ପହଞ୍ଚିବା ପରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ କୃଷ୍ଣ କୁଲଦୀପ ନାମକ ଜଣେ ଯୁବକ ହଠାତ ବୈଠକରେ ପହଞ୍ଚି ତାରା ପ୍ରସାଦ ବାହିନୀପତିଙ୍କୁ ନମସ୍କାର କରିବାକୁ ଯାଇ ଶକ୍ତ ଚାପୁଡ଼ା ମାରିଥିଲେ।ଏହାପରେ ଯୁବକକୁ କାବୁ କରି ପୋଲିସରେ ଜିମା ଦିଆଯାଇଥିଲା । ଏବେ ଚାପୁଡ଼ା ମାଡ଼ର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ମାମଲାରେ ଥାନାରେ ଏତଲା ହୋଇଥିବା ଜଣାପଡିଛି। ତେବେ ବର୍ତ୍ତମାନ ସୁଦ୍ଧା ମାଡ଼ ମରିବାର କାରଣ ଜଣାପଡି ନାହିଁ । ଏନେଇ ତାରା ପ୍ରସାଦଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।