ଭୁବନେଶ୍ବର : ବରଗଡ଼ ସ୍କୁଲ ଛାତ୍ରୀ ଆତ୍ମାହୁତି ଘଟଣାରେ ଦୁଃଖ ପ୍ରକାଶ କଲେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛାତ୍ରୀଙ୍କ ବିୟୋଗରେ ଶୋକ ସନ୍ତପ୍ତ ପରିବାରକୁ ଆଶ୍ବାସନା ଦେବା ସହ ନବୀନ ରାଜ୍ୟ ବିଜେପି ସରକାରର ଚରମ ବିଫଳତାକୁ କଟୁ ସମାଲୋଚନା କରିଛନ୍ତି। ଝିଅମାନେ ନିଜକୁ ଜାଳି ଜୀବନ ହାରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ନବୀନ କହିଛନ୍ତି । ଗୋଟିଏ ମାସରେ ୪ ଜଣ ଝିଅ ପ୍ରାଣ ହରାଇବା ଘଟଣା ମୋତେ ବ୍ୟଥିତ କରିଛି । ଚାରି ଜଣଙ୍କ ମୃତ୍ୟୁ କୌଣସି ପୃଥକ ଘଟଣା ନୁହେଁ । ଅପରାଧର ଶିକାର ହେବା ପରେ ସେମାନଙ୍କ ମୃତ୍ୟୁ ଘଟୁଥିବା କହଛନ୍ତି ବିରୋଧୀ ଦଳ ନେତା । ସେମାନଙ୍କ ହତାଶା କେବଳ ବ୍ୟକ୍ତିଗତ ଟ୍ରାଜେଡି ନୁହେଁ । ପ୍ରତ୍ୟକ ଘଟଣାରେ ସେମାନଙ୍କ ଯନ୍ତ୍ରଣାକୁ ଶୁଣାଯାଇନାହିଁ ।
ବିଜେପି ସରକାର ଝିଅଙ୍କ କ୍ଷେତ୍ରରେ ଆତ୍ମବିଶ୍ବାସ ସୃଷ୍ଟି କରିବାରେ ବିଫଳ ହୋଇଛି। ଝିଅମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। କେବଳ ଏହି ୪ଟି ଘଟଣା ନୁହେଁ, ଏଭଳି ଅନେକ ଘଟଣା ଘଟୁଛି, ଯେଉଁଥିରେ ଅନେକ ଝିଅ ଅପରାଧର ଶିକାର ହେଉଛନ୍ତି। କିନ୍ତୁ ନ୍ୟାୟ ନମିଳିବାରୁ ଆତ୍ମାହୁତି ଦେଉଛନ୍ତି। ଏଭଳି ହୃଦୟ ବିଦାରକ ଘଟଣାକୁ ବନ୍ଦ କରିବାକୁ ରାଜ୍ୟ ସରକାର ଆଉ କେତେଦିନ ନେବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ।
ସୂଚନାନୁସାରେ,ଗତକାଲି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ଫିରିଙ୍ଗିମାଲ ଗାଁରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପେଟ୍ରୋଲ ଢାଳି ପୋଡି ହୋଇ ଯାଇଥିଲେ । ନିକଟସ୍ଥ ଫୁଟବଲ ପଡ଼ିଆରୁ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ସେଠାରେ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣାରେ ତାଙ୍କୁ କେହି ଜାଳି ଦେଇଛି ନ ସେ ନିଜେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଠିକ ସେହି ଭଳି ଗତ ଜୁଲାଇ ୨୦ ତାରିଖରେ ପୁରୀ ଜିଲ୍ଲା ବଳଙ୍ଗା ର ନାବାଳିକା ପୋଡି ଘଟଣାରେ ବର୍ତ୍ତମାନ ସୁଦ୍ଧା କେହି ଧରାପଡ଼ି ନାହାନ୍ତି । ଜୁଲାଇ ୧୨ ତାରିଖରୁ ବାଲେଶ୍ୱର ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣା ପରଠାରୁ ବଳଙ୍ଗା,ପଟ୍ଟାମୁଣ୍ଡାଇ ଏବଂ ବରଗଡ଼କୁ ମିଶାଇ ଏହା ୪ର୍ଥ ଆତ୍ମଦାହ ଘଟଣା । କେବଳ ବାଲେଶ୍ୱର ଘଟଣାକୁ ଛାଡିଦେଲେ ବର୍ତ୍ତମାନ ସୁଦ୍ଧା ଆଉ ୩ ଟି ଆତ୍ମାହୁତି ଘଟଣାରେ ପୋଲିସ ତଦନ୍ତ ଜାରି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରକୃତ ଦୋଷୀ ଧରାପଡ଼ି ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
