ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଭାବେ ପରିଚିତ ସିକନ୍ଦର ଆଲମ । ଏହା ସମେତ ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଯଥା ଜଗନ୍ନାଥ ଜଣାଣ, ଭଜନ, ଛାନ୍ଦ, ଚମ୍ପୂ, ଚଉପଦୀ ନିମନ୍ତେ ଓଡ଼ିଶାର ଘରେ ଘରେ ପରିଚିତ । ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ବୋଲି ସମ୍ବୋଧନ ମଧ୍ୟ କରାଯାଇଥାଏ । ସିକନ୍ଦର ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, କଟକ ଜିଲ୍ଲା ବୟାଳିଶି ମୌଜା ବ୍ଳକର ରାଉତରାପୁରଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁରେ ହିଁ କଟିଥିଲା । ଏହାପରେ କଟକର ଖ୍ରୀଷ୍ଟ କଲେଜିଏଟ ସ୍କୁଲରୁ ମାଟ୍ରିକ ଓ ଷ୍ଟୁଓ୍ୱାର୍ଟ କଲେଜରୁ ବିଜ୍ଞାନରେ ଇଣ୍ଟରମିଡିଏଟ ପାସ କରିଥିଲେ । ତା’ପରେ ନିଜ ପିତା ଓ ବଡ଼ ଭାଇଙ୍କଠାରୁ ପ୍ରେରଣା ପାଇ ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଦ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ୱର ସହ ସଂଗୀତ ବିଶାରଦ ହାସଲ କରିଥିଲେ । ସିକନ୍ଦର ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାଇବା ଆରମ୍ଭ କରିଥିଲେ । ଭଜନ, ଜଣାଣ, ଗଜଲ, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ । ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର ଲକ୍ଷ୍ମୀରେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରି ସେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଥିଲେ । ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ୟରୁ ଅମଡ଼ା ବାଟ, ଅଦିନ ମେଘ, ମାଣିକ ଯୋଡ଼ି, ମମତା, ସୂର୍ଯ୍ୟମୁଖୀ, ପୂଜା ପ୍ରଭୃତି ଅନ୍ୟତମ । ତାଙ୍କର ଅସାଧାରଣ ପ୍ରତିଭା ଓ ସଙ୍ଗୀତ ସାଧନା ପାଇଁ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ମହାନ କଣ୍ଠଶିଳ୍ପୀଙ୍କର ୮ ଅଗଷ୍ଟ ୨୦୧୦ ମସିହାରେ ୭୧ ବର୍ଷ ବୟସରେ ତିରୋଧାନ ଘଟିଥିଲା । ତାଙ୍କ ଦେହାନ୍ତରେ ଓଡ଼ିଶା ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଥିଲା ।