ଦୁଇଟି ଭୋଟର ଆଇଡି ମାମଲାରେ ତେଜସ୍ୱୀଙ୍କ ଅଡ଼ୁଆ ବଢ଼ିଲା

0

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ପାଖରେ ଦୁଇଟି ଭୋଟର ପରିଚୟପତ୍ର (ଇପିଆଇସି ନମ୍ବର) ଥିବା ଜଣାପଡ଼ିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ଗତକାଲି ତେଜସ୍ବୀ ଯେଉଁ ଭୋଟର୍‌ ଆଇଡି ଦେଖାଇ ନିର୍ବାଚନ କମିସନଙ୍କୁ ଟାର୍ଗେଟ୍‌ କରିଥିଲେ ତାହା ନକଲି ବୋଲି ଜଣାପଡ଼ିଥିବାରୁ ତେଜସ୍ବୀଙ୍କ ଅଡ଼ୁଆ ବଢ଼ିଛି। ଏ ବାବଦରେ ଆଜି ତେଜସ୍ବୀଙ୍କୁ ନିର୍ବାଚନ କମିସନ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ମାଗିଛନ୍ତି। ଏହି ମାମଲାରେ ଦୀଘା ନିର୍ବାଚନମଣ୍ଡଳୀର ଭୋଟର ପଞ୍ଜୀକରଣ ଅଧିକାରୀ ତେଜସ୍ୱୀ ଯାଦବଙ୍କୁ ଚିଠି ଲେଖି ତାଙ୍କ ଦ୍ୱାରା ପ୍ରଦର୍ଶିତ ଇପିଆଇସିର ବିବରଣୀ ଦେବାକୁ କହିଛନ୍ତି। ସୂଚନାଯୋଗ୍ୟ, ଗତକାଲି ଏ ସଂକ୍ରାନ୍ତ ଏକ ବିବରଣୀ ଜାରି କରି ତେଜସ୍ବୀ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ ନୂତନ ସଂଶୋଧନ ପ୍ରକ୍ରିୟାରେ ତାଙ୍କର ନାମକୁ ଭୋଟର୍‌ ତାଲିକାରୁ ହଟାଇ ଦିଆଯାଇଛି। ତାଙ୍କ ଇପିଆଇସି ନମ୍ବର ଡ୍ରାଫ୍ଟ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିବା ଦର୍ଶାଇ ତେଜସ୍ବୀ କମିସନଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହାର କିଛି ସମୟ ପରେ ନିର୍ବାଚନ କମିସନଙ୍କ ପକ୍ଷରୁ ଭୋଟର ତାଲିକାରେ ତାଙ୍କ ନାମ ଥିବା ସଂକ୍ରାନ୍ତ ପ୍ରମାଣ ଜାରି କରାଯାଇଥିଲା। ଏହା ପରଠାରୁ ତେଜସ୍ୱୀଙ୍କ ପାଖରେ ଦୁଇଟି ଭୋଟର ପରିଚୟପତ୍ର ଥିବା ଅଭିଯୋଗ ଆଣି ବିଜେପି ଓ ଜେଡିୟୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି।

Leave A Reply

Your email address will not be published.