ବୌଦ୍ଧ : ଭିଜିଲାନ୍ସ ହାତରେ ଗିରଫ ହେଲେ କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଗୋଲାପ । ଗତକାଲି ଭିଜିଲାନ୍ସ ପକ୍ଷରୁ ତାଙ୍କର ଏକକାଳୀନ ୬ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ତାଙ୍କଠାରୁ ୪୪ଟି ପ୍ଲଟ୍ , ୧ କେଜି ସୁନା, ୨ କିଲୋ ରୁପା, ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା ସମେତ ୨୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା । ବାରିପଦା ସହରରେ ୩୩ ସହ ବର୍ଗ ଫୁଟର ଆଲିଶାନ କୋଠା , ଏବଂ ଝିଅର ମେଡିକାଲ ପାଠପଢ଼ାରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ ।
ଗତ କିଛି ମାସ ହେବ ଏମ୍ଭିଆଇ ଶ୍ରୀ ହାସଁଦାଙ୍କ ବିରୋଧରେ ଭିଜିଲାନ୍ସ ବାରିପଦା ଡିଭିଜନ୍ରେ ଏକାଧିକ ପିଟିସନ୍ ପଡିଥିଲା । ସେ କୋଟି କୋଟି ଟଙ୍କାର କଳାଧନ ଠୁଳ କରିଥିବା ଏଥିରେ ଉଲ୍ଲେଖ ରହୁଥିଲା । ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ଖୋଳାତାଡ଼ ଆରମ୍ଭ କରିଥିଲେ । ଅଭିଯୋଗରେ ସତ୍ୟତା ଥିବା ସ୍ପଷ୍ଟ ହେବା ପରେ ଚଢ଼ଉ କରିବା ପାଇଁ ସ୍ପେଶାଲ୍ ଭିଜିଲାନ୍ସ କୋର୍ଟଙ୍କ ଅନୁମତି ମାଗିଥିଲେ । କୋର୍ଟ ଅନୁମତି ଦେବାପରେ ରବିବାର ସକାଳୁ ଆରମ୍ଭ ହୋଇଥିଲା ଚଢ଼ଉ । ଭିଜିଲାନ୍ସ ଟିମ୍ ବାରିପଦା ପ୍ରଫୁଲ୍ଲନଗରସ୍ଥିତ ଆବାସିକ ବାସଭବନ, ବାଗଡ଼ିହସ୍ଥିତ ସମ୍ପର୍କୀୟଙ୍କ ଘର, ଖୁଣ୍ଟାସ୍ଥିତ ପୈତୃକ ଘର, ବୌଦ୍ଧ ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ ପ୍ରକୋଷ୍ଠ ଓ ଭଡ଼ା ଘର, ଭୁବନେଶ୍ୱରରେ ରହୁଥିବା ଝିଅଙ୍କ ଫ୍ଲାଟ ସମେତ ୬ ଜାଗାରେ ଚଢ଼ଉ କରିଥିଲା ।
ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସର ୪ ଜଣ ଡିଏସ୍ପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ।