ଭୁବନେଶ୍ୱର: ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟଣା । ଏକ ମାସ ପରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ । ରଥଯାତ୍ରା ପରଦିନ ଗତ ଜୁନ ୨୯ ତାରିଖ ମଧ୍ୟରାତ୍ରିରେ ଶରଧାବାଲିରେ ଦଳାଚକଟା ଘଟିବା ଦ୍ବାରା ଏଥିରେ ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। । ଘଟଣାର ତଦନ୍ତ କରି ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି କମିଶନର । ଘଟଣାର ପ୍ରାଶାସନିକ ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ମାସକ ପରେ ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।
ତଦନ୍ତ ସମୟରେ ୬୭ଜଣଙ୍କ ବୟାନ ରେକର୍ଡ କରାଯାଇଛି। କେଉଁ ଅଧିକାରୀଙ୍କ ଅବହେଳାରୁ ଏତେବଡ଼ ଅଘଟଣ ଘଟିଲା ସେଥିନେଇ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଉନ୍ନୟନ କମିଶନର । ଭବିଷ୍ୟତରେ କେଉଁ ପଦକ୍ଷେପ ଗ୍ରହଣ କରାଗଲେ ଏଭଳି ଘଟଣାର ପୁନରାବୃତ୍ତି ହେବନାହିଁ ସେଥିନେଇ ସେ ସୁପାରିସ କରିଛନ୍ତି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଜିଲାପାଳ ଓ ଏସ୍ପିଙ୍କୁ ଦାୟିତ୍ବରୁ ଅପସାରଣ କରିବା ସହିତ ଦୁଇ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ। ଏଥିସହ ୩୦ ଦିନ ମଧ୍ୟରେ ତଦନ୍ତ ଶେଷ କରିବା ଲାଗି ଉନ୍ନୟନ ଆୟୁକ୍ତ ଶ୍ରୀମତୀ ଗର୍ଗଙ୍କୁ ଦାୟିତ୍ବ ଦେଇଥିଲେ।

Comments are closed.