ନୂଆଦିଲ୍ଲୀ : ଘରୋଇ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି । ପାରିବାରିକ କଳହ ତଥା ଯୌତୁକ ନିର୍ଯାତନା ମାମଲାରେ ୨ ମାସ ଯାଏଁ ହେବନାହିଁ ଗିରଫଦାରୀ । ଦୁଇବର୍ଷ ତଳେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖି କୋର୍ଟ କହିଛନ୍ତି କି, ଭାରତୀୟ ଦଣ୍ଡ ସଂହିତା ଧାରା ୪୯୮ (କ) ଆଧାରରେ ଅଭିଯୋଗ ହେବାର ଦୁଇମାସ ପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ । କୋର୍ଟ କହିଛନ୍ତି କି, ଯେତେବେଳେ ଜଣେ ମହିଳା ତାଙ୍କ ସ୍ୱାମୀ ଓ ପରିବାର ଲୋକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣୁଛନ୍ତି ସେତେବେଳେ ପୁଲିସ ସଂପୃକ୍ତ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କୁ ୨ ମାସ ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ ।
ମଙ୍ଗଳବାର ଦିନ (୨୨ ତାରିଖ) ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବି.ଆର ଗବାଇ ଓ ଜଷ୍ଟିସ ଅଙ୍ଗଷ୍ଟାଇନଙ୍କ ପୀଠ ଏଭଳି ନିର୍ଦ୍ଦେଶନାମାକୁ ସାରା ଦେଶରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ମୁତାବକ ଅଭିଯୋଗ ଦାଖଲ ହେବା ପର ଠାରୁ ୨ ମାସ ଯାଏଁ ଶାନ୍ତି ଅବଧି ବା ବୁଝାମଣା ଅବଧି ଭାବରେ ଗଣାଯିବ I ଏହି ସମୟ ଭିତରେ ଅପର ପକ୍ଷଙ୍କୁ ଗିରଫ କରାଯାଇ ପାରିବ ନାହିଁ । ଫଳରେ ବିବାହ ଆଇନ୍ ର ଅପବ୍ୟବହାର ରୋକାଯାଇ ପାରିବ । ଏହି ଶାନ୍ତି ଅବଧି ସମୟରେ ମାମଲାକୁ ଜିଲ୍ଲା ପରିବାର କଲ୍ୟାଣ ସମିତିକୁ ପଠାଯିବ ।
ସୂଚନାନୁସାରେ,ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଜଣେ ମହିଳା ଆଇପିଏସ୍ ଅଧିକାରୀଙ୍କ ସହ ଜଡ଼ିତ ମାମଲାର ଶୁଣାଣି ସମୟରେ କହିଛନ୍ତି । ମହିଳା ଜଣଙ୍କ ମିଥ୍ୟା ଅଭିଯୋଗ ଆଣିଥିବାରୁ ତାଙ୍କ ସ୍ୱାମୀଙ୍କୁ ୧୦୯ ଦିନ ଓ ଶ୍ୱଶୁରଙ୍କୁ ୧୦୩ ଦିନ ଜେଲରେ ରହିବାକୁ ପଡିଛି। କୋର୍ଟ କହିଛନ୍ତି ଯେ ସେମାନେ ଯାହା କଷ୍ଟ ଭୋଗିଛନ୍ତି ତାହା କୌଣସି ପ୍ରକାରେ କ୍ଷତିପୂରଣ କରାଯାଇପାରିବ ନାହିଁ। ତେଣୁ ମହିଳା ଆଇପିଏସ ଅଫିସରଙ୍କୁ ତାଙ୍କ ଶ୍ୱଶୁର ଘର ଲୋକଙ୍କ ଠାରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବେ । ସୁପ୍ରିମକୋର୍ଟ କହିଛନ୍ତି ଯେ ଆଇପିଏସ ତାଙ୍କ ପଦବୀ ଏବଂ କ୍ଷମତା ବ୍ୟବହାର କରି ତାଙ୍କ ସ୍ୱାମୀ କିମ୍ବା ଶ୍ୱଶୁର ଘର ଲୋକଙ୍କ ବିରୋଧରେ ନିଜେ କିମ୍ବା ତାଙ୍କର କୌଣସି ସହକର୍ମୀଙ୍କ ମାଧ୍ୟମରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ । ଏହି ମାମଲାରେ ତାଙ୍କ ସ୍ୱାମୀ ମଧ୍ୟ କ୍ରସ୍ କେସ୍ ଦାୟର କରିଥିଲେ।