ପୃଥକ ସ୍ଥାନରେ ୩ ନାବାଳିକା ଗଣଦୁଷ୍କର୍ମର ଶିକାର ,୨ ଗିରଫ

ମାଲକାନଗିରି/ଜଗତସିଂହପୁର/ଯାଜପୁର : ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ଘଟି ସ୍ଥିତି ଉଦବେଗ ଜନକ ହେଲାଣି । ପ୍ରତିଦିନ ପ୍ରାୟ ୩ ରୁ ୪ଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି ।ଗତକାଲି ସମାନ ଢଙ୍ଗରେ ୩ ଟି ଘଟଣା ଘଟିଛି । ମାଲକାନଗିରି ଏବଂ ଜଗତସିଂହପୁରରେ ନାବାଳିକାଙ୍କୁ ଜନ୍ମଦିନ ପାର୍ଟିକୁ ଡାକି ଗଣଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି । ସେହିପରି ଯାଜପୁରରେ ଜଣେ ନାବାଳିକା ହକି ଖେଳାଳି ହକି କୋଚଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି ।

ମାଲକାନଗିରି ସଦର ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ସାଙ୍ଗଙ୍କ ଜନ୍ମ ଦିନ ପାଳନ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ହେଲେ କୌଣସି ପତ୍ତା ମିଳିନଥିଲା । ପରେ ବିଳମ୍ବିତ ରାତିରେ ମାଲକାନଗିରି-ଜୟପୁର ବିଜାଘାଟିଠାରେ ଜଣେ ଟ୍ରକ ଚାଳକଙ୍କ ସହ ନାବାଳିକାଙ୍କୁ ସନ୍ଦେହଜନକ ସ୍ଥିତିରେ ଦେଖି ସ୍ଥାନୀୟଲୋକେ ମାଲକାନଗିରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରୁ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ଶକ୍ତି ସଦନ ଗୃହରେ ରଖିଥିଲେ । ପରିବାର ପକ୍ଷରୁ ଥାନାରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ମାଲକାନଗିରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବାବେଳେ ୪ ଜଣଙ୍କୁ ଗିରଫ କରିଛନ୍ତି । ଟ୍ରକ୍‌ ଚାଳକ ସହ ଆଉ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରାଯାଇଛି । ପୀଡ଼ିତାଙ୍କୁ ଏହି ୪ ଜଣ ପୃଥକ ସ୍ଥାନରେ ଦୁଷ୍କର୍ମ କରିଥିବା ସୂଚନା ମିଳିଛି । ବିଜାଘାଟି ନିକଟରୁ ନାବାଳିକାଙ୍କୁ ଆଦର୍ଶ ଥାନା ପୁଲିସ ଉଦ୍ଧାର କରିଥିଲା ।

ସେହିପରି,ଗତକାଲି ସମାନ ଭାବରେ ଜଗତସିଂହପୁର ସଦର ଥାନା ଅଧୀନ ମଜୁରାଇ ଚାନ୍ଦଗଡ଼ ଗାଁର ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସାଙ୍ଗ ଜନ୍ମ ଦିନକୁ ୨ ଯୁବତୀ ଏକ ବିଲ ରାସ୍ତା ଦେଇ ଯାଉଥିବାବେଳେ ବାଟରେ ୩ ଜଣ ସେମାନଙ୍କୁ ଅଟକାଇଥିଲେ। ତେବେ ଉକ୍ତ ଯୁବକଙ୍କ କବଳରୁ ଜଣେ ଯୁବତୀ ଖସି ଆସିଥିବାବେଳେ ,ପୀଡ଼ିତାଙ୍କୁ ଜଙ୍ଗଲ ଆଡକୁ ନେଇ ଦୁଷ୍କର୍ମ କରିଥିଲେ । ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କ ଘରେ ପହଞ୍ଚିବାପରେ ଜଗତସିଂହପୁର ଥାନାରେ ଯୁବତୀଙ୍କ ବାପା ଏତଲା ଦେଇଛନ୍ତି । ଏହି ଘଟଣାକୁ ନେଇ ସଦର ପୋଲିସ ୩ ଗୋଟି ଟିମ୍ ଗଠନ କରିଛି । ଜଣେ ଅଭିଯୁକ୍ତ କୁ ନିଆଳି କସର୍ଦାରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ କୁ ଖୁବ୍ ଶୀଘ୍ର ଗିରଫ କରାଯିବ । ଅନ୍ୟ ପଟେ ଯୁବତୀଙ୍କ ବୟାନ ରେକର୍ଡ ଆଧାରରେ ତଦନ୍ତ କୁ ଆହୁରି କ୍ରିୟାଶୀଳ କରାଯିବ। ସହିତ ଅଭିଯୁକ୍ତ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ଏସପି ଭବାନୀ ଶଙ୍କର ଉଦଗାତା।

ଅନ୍ୟପଟେ,ଯାଜପୁର ଜିଲ୍ଲାରେ ଘଟିଛି ପୁଣି ଏକ ଲଜ୍ଜାକର ଘଟଣା । କଳଙ୍କିତ ହୋଇଛି ଗୁରୁ ଶିଷ୍ୟ ପରମ୍ପରା । ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ନାବାଳିକା ହକି ଖେଳାଳିଙ୍କୁ ତାଙ୍କ ନିଜ କୋଚ୍ ଏବଂ ତାଙ୍କର ଅନ୍ୟ ୨ ସହଯୋଗୀ ଦୁଷ୍କର୍ମ କରିଥିବା ଭଳି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ଯାଜପୁର ଟାଉନ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟ ଅଭିଯୁକ୍ତ ହକି କୋଚଙ୍କୁ ଅଟକ ରଖି ପଚରାଉଚରା କରିଛି।

ସୂଚନାନୁସାରେ, ଗତ ଜୁଲାଇ ତିନି ତାରିଖରେ ଯାଜପୁର ହକି ପ୍ରଶିକ୍ଷଣ କେନ୍ଦ୍ରକୁ ଆସୁଥିବା ଜଣେ ଛାତ୍ରୀଙ୍କୁ ତିନି ହକି ପ୍ରଶିକ୍ଷକ ଓ ତାଙ୍କ ସହଯୋଗୀ ଏକ ଲଜ୍କୁ ନେଇ ଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ ନାବାଳିକା ଛାତ୍ରୀ କ୍ରୀଡା ବିଭାଗକୁ ୧୭ ତାରିଖରେ ଜଣାଇଥିଲେ । ଏହାପରେ କୌଣସି କାର୍ଯ୍ୟାନୁଷ୍ଠା ନହେବାରୁ ବାଧ୍ୟ ହୋଇ ପୋଲିସକୁ ଖବର ଦେଇଥିଲେ ପୀଡିତା ।

ଛାତ୍ରୀ ଜଣକ ୨ବର୍ଷ ହେବ ଯାଜପୁର ହକି ଷ୍ଟାଡ଼ିୟମରେ ପ୍ରଶିକ୍ଷଣ ନେଉଥିଲେ । ୩ ଜଣଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ନେଇ ପୋକ୍ସୋ କୋର୍ଟରେ ହାଜର ହେଲେ ପୀଡିତା । ୧୮୩ ବିଏଏସଏସ ଅନୁଯାୟୀ ପୀଡିତାଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଛି ।ଏହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ତିନି ଜଣ ପ୍ରଶିକ୍ଷକଙ୍କ ସହ ଜଣେ ସାଥୀଙ୍କ ଗିରଫ କରିଥିବା ସୂଚନା ମିଳିଛି । ମଙ୍ଗଳବାର ତିନି ଜଣଙ୍କୁ କୋର୍ଟ ଚାଲାଣ କରିପାରେ ପୋଲିସ ।

Govt

Comments are closed.