ନୂଆଦିଲ୍ଲୀରେ ପୁରୁଣା ଯାନକୁ ତେଲ ମନା

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା । ଆଜିଠୁ ପେଟ୍ରୋଲ ପମ୍ପରେ ପୁରୁଣା ଗାଡ଼ିକୁ ମିଳିବନି ତେଲ । ଜୁଲାଇ ୧ରୁ ଲାଗୁ ହେଲା ଏହି ନିୟମ। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ପୁରୁଣା ଗାଡ଼ି ଚଳାଚଳ ଉପରେ ଲାଗିବ ଲଗାମ୍। ପେଟ୍ରୋଲ ଟାଙ୍କିରେ ଲାଗିବ ଏଆଇ କ୍ୟାମେରା। ନିୟମ ନମାନିଲେ ଜରିମାନା। ସମୟ ସରିଯାଇଥିବା ଗାଡିକୁ ଚିହ୍ନଟ କରି ଜବତ କରିବେ ସରକାର। ନୂଆଦିଲ୍ଲୀ ପରିବହନ ନିଗମ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଯଦି କେହି ବ୍ୟକ୍ତି ଏହି ନିୟମକୁ ଖିଲାଫ କରନ୍ତି , ତେବେ ଜରିମାନା ଦେବାକୁ ପଡିବ। ୩୫୦ ପେଟ୍ରୋଲ ପମ୍ପରେ କଡ଼ା ପହରା ଦିଆଯିବ ।

ଦିଲ୍ଲୀରେ ଆଜିଠୁ ୧୫ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ଗାଡ଼ି ଏବଂ ୧୦ବର୍ଷ ପୁରୁଣା ଡିଜେଲ ଚାଳିତ ଗାଡ଼ିକୁ ଇନ୍ଧନ ମିଳିବ ନାହିଁ। ଧରାପଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯେଉଁ ଦୁଇ ଚକିଆ ଗାଡ଼ିର ସମୟ ସୀମା ସରିଯାଇଛି ତାକୁ ଜବତ କରାଯାଇ ମାଲିକଙ୍କ ଉପରେ ୫ ହଜାର ଟଙ୍କା ଜରିମାନା ଲଗାଯିବ। ଫଳରେ ସଙ୍କଟରେ ୬୨ ଲକ୍ଷ ପୁରୁଣା ବାହନ।

କମିଶନ୍ ଫର୍ ଏୟାର କ୍ଵାଲିଟି ମ୍ୟାନେଜମେଣ୍ଟ, ଟ୍ରାନ୍ସପୋର୍ଟ ବିଭାଗ, ଦିଲ୍ଲୀ ମୁନିସପାଲ କର୍ପୋରେସନ, ଏବଂ ଦିଲ୍ଲୀ ପୁଲିସ ସହିତ ଅନ୍ୟ ଟିମ୍ ପେଟ୍ରୋଲ୍ ପମ୍ପ ଗୁଡ଼ିକରେ ଚେକିଂ କଡ଼ାକଡ଼ି କରିବେ। ପୁରୁଣା ଗାଡ଼ି ଗୁଡ଼ିକୁ ଚିହ୍ନଟ କରିବା ପାଇଁ ପେଟ୍ରୋଲ ପମ୍ପ ଗୁଡ଼ିକରେ ଅଟୋମେଟିକ୍ ନମ୍ଵରପ୍ଲେଟ୍ ରିକଗନାଇଜେସନ ସିଷ୍ଟମ ଲଗାଯାଇଛି। ଏହି ମେସିନ୍ ପେଟ୍ରୋଲ ପମ୍ପକୁ ଆସୁଥିବା ସବୁ ଗାଡିର ନମ୍ଵର ପ୍ଲେଟ୍ ଯାଞ୍ଚ କରି ତଥ୍ୟ ବାହାର କରିବ। ନିୟମ ଅମାନ୍ୟ କରି ପ୍ରଥମ ଥର ଧରାପଡ଼ିଲେ ଗାଡି ମାଲିକଙ୍କୁ ଗୋଟିଏ ସୁଯୋଗ ଦିଆଯିବ। ଜରିମାନା ଭରି ସେମାନେ ଗାଡ଼ି ନେଇପାରିବେ। ହେଲେ ଦ୍ଵିତୀୟ ଥର ଧରାପଡ଼ିଲେ ଗାଡ଼ିକୁ ସମ୍ପୂର୍ଣ୍ଣ ରୂପେ ଜବତ କରି ନିଆଯିବ। ନଭେମ୍ଵର ୧ ଠାରୁ ନୋଏଡା, ଗାଜିଆବାଦ, ଫରିଦାବାଦ, ଏବଂ ସୋନିପତରେ ନିୟମ ଲାଗୁ ହେବ ।

ଏବେ ଦିଲ୍ଲୀ ସରକାର କେବଳ ପେଟ୍ରୋଲ ଏବଂ ଡିଜେଲ୍ ଚାଳିତ ଗାଡି ପାଇଁ ଏହି ନିୟମ ଲାଗୁ କରିଛନ୍ତି। ସିଏନ୍‌ଜି ଗାଡି ଗୁଡ଼ିକ ଉପରେ ଏହି ନିୟମ ଲାଗୁ ହେବ ନାହିଁ। ଯଦି ପେଟ୍ରୋଲ ପମ୍ପ ମାଲିକମାନେ ଏହି ନିୟମରେ କୋହଳ କରିବେ ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସହରରେ ବାୟୁ ପ୍ରଦୂଷଣର ଜାରି ରହିଥିବା ସମସ୍ୟାର ସମାଧାନ ପାଇଁ, ଦିଲ୍ଲୀ ସରକାର ଏକ ନୀତି ଲାଗୁ କରିବାକୁ ଯାଉଛନ୍ତି । ଏନେଇ ସୁପ୍ରିମକୋର୍ଟ ଏବଂ ଜାତୀୟ ସବୁଜ ଟ୍ରିବ୍ୟୁନାଲ (NGT) ନିର୍ଦ୍ଦେଶ ଜାରି କରିଥିଲେ ।

Launching Ceremony of “AYUSHMAN BHARAT

Comments are closed.