କଳାହାଣ୍ଡି : ଟ୍ରକ ପଛପଟେ ଧକ୍କା ହେଲା ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଭୁବନେଶ୍ୱରରୁ ଉମରକୋଟ ଯାଉଥିବା ରଘୁନାଥ ନାମକ ଘରୋଇ ବସ କଳାହାଣ୍ଡି କୋକସରା ଥାନା ଅନ୍ତର୍ଗତ ଚାରବାହଲ ନିକଟରେ ଆଜି ଭୋର ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ ପଛରେ ପିଟି ହୋଇ ବସର ସାମ୍ନା ପଟ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ଦେଖାଯାଇଛି ।
ସୂଚନାନୁସାରେ,ଆଜି ଭୋର ସମୟରେ ଏନଏଚ- ୨୬ ରେ ଥିବା ଏକ ସ୍କୁଲ ସମ୍ମୁଖରେ ଏକ ଟ୍ରକ ଠିଆ ହୋଇଥିଲା। ଭୁବନେଶ୍ବରରୁ ଉମରକୋଟ ଯାଉଥିବା ଯାତ୍ରୀବାହୀ ବସ୍ଟି ଟ୍ରକ ପଛପଟେ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କ ସମେତ ୭ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଯାତ୍ରୀଙ୍କ ଜୀବନ ଯାଇଥିଲା। ମୃତ ଯାତ୍ରୀ ଜଣକ ନବରଙ୍ଗପୁର ଜିଲ୍ଲାର ବିନୋଦ ବେହେରା ବୋଲି ଜଣାପଡିଛି। ଦୁର୍ଘଟଣାରେ ବସର ଆଗ ପଟ ଚୁରମାର ହୋଇଥିବା ବେଳେ ବସରେ ଥିବା ଅନେକେ ଯାତ୍ରୀ ବସ ମଧ୍ୟରେ ଫସି ରହିଥିଲେ। କିଛି ସ୍ଥାନୀୟ ଲୋକ ଓ କୋକସରା ଦମକଳବାହିନୀ ଆସି ଫସି ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀଙ୍କ ଜୁନାଗଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Comments are closed.