Edited by Papu Mohanty
ଭୁବନେଶ୍ୱର : ମେ ୨୪: ରାଜ୍ୟରେ ସବୁ ଜିଲ୍ଲାକୁ ଚାଲିବ ବସ୍ । ଏଣିକି ଭୁବନେଶ୍ୱର ସମେତ ବିଭିନ୍ନ ସହରକୁ ଗଡ଼ିବ ବସ୍ । କେବଳ ବସ୍ ନୁହଁ, ଅଟୋରିକ୍ସା, ଓଲା, ଉବର ଆଦି ଟାକ୍ସି ଅପରେଟର୍ ଦିନରାତି ସେବା ଯୋଗାଇବେ । ତେବେ କୋଭିଡ୍ ଗାଇଡ୍ଲାଇନ ପାଳନ କରି ବସ୍ ଚଳାଚଳକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ତେବେ ସୋମବାରଠୁ ବସ୍ ଚଳାଇବା ସମ୍ଭବ ନୁହେଁ । ବସ୍ ଚାଳକ ଉପଲବ୍ଧ ନଥିବାରୁ ସୋମବାରଠୁ ବସ୍ ଚାଲିପାରିବନାହିଁ ବୋଲି ବସ୍ ମାଲିକ ସଂଘ କହିଛନ୍ତି । ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ ମାସ ପୂରିବା ପାଇଁ ଆଉ କେବଳ ୫ଦିନ ସମୟ ରହିଛି । ଯଦି ସୋମବାର ଠାରୁ ବସ୍ ଚଳାଚଳ ଆରମ୍ଭ ହୁଏ ତାହାହେଲେ ଦୀର୍ଘ ଦିନ ଧରି ବସ୍ ଚାଲିନଥିଲେ ମଧ୍ୟ ଆମକୁ ପୁରା ମାସର ଟ୍ୟାକ୍ସ ଦେବାକୁ ପଡିବ । ଯାହା ଆମକୁ କ୍ଷତିଗ୍ରସ୍ତ କରିବ । ଦ୍ୱିତୀୟରେ ବୀମା ନିୟମ ଅନୁସାରେ କୌଣସି ବସ୍ ଦୁଇମାସ ଅଫ୍ରୋଡ ରହିଲେ ତାହା ପୁନର୍ବାର ଚଳାଚଳ କରିବାକୁ ଆର୍ଟିଓଙ୍କ ଠାରୁ ଅନୁମତି ନେବାକୁ ପଡେ ଓ ଏହି ଅନୁମତି ପତ୍ରକୁ ଇନ୍ସìରାନ୍ସ୍ସ କମ୍ପାନୀରେ ଦେଲାପରେ ବସ୍ ପାଇଁ ଯେଉଁ ବୀମା ହୋଇଥାଏ ତାହା ଅବ୍ୟାହତ ରହିଥାଏ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ରୁଟ୍ରେ ଚଳାଚଳ କରୁଥିବା ୧୪ହଜାର ବସ୍ ଅଫ୍ରୋଡ ରହିଛି । ସୋମବାର ଠାରୁ ବସ୍ ଚାଲିଲେ ଏହି ବସ୍ ମାଲିକମାନେ ଉପରୋକ୍ତ ସମସ୍ୟାର ସମ୍ମୁଖୀନ ହେବେ । ତେଣୁ ରାଜ୍ୟସରକାର ତୁରନ୍ତ ସଂଘ ସହିତ ଆଲୋଚନା କରି ଏହା ସମାଧାନ ବାଟ ଫିଟାଇବା ପାଇଁ ଶ୍ରୀ ନାୟକ ଅନୁରୋଧ କରିଛନ୍ତି । ଅପରପକ୍ଷରେ ଏସ୍ଆରସି ଶ୍ରୀ ଜେନା କହିଛନ୍ତି ଯେ, ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଏହା ଚିନ୍ତାଜନକ ନୁହେଁ । ପ୍ରବାସୀଙ୍କୁ କ ୍ୱାରେଣ୍ଟାଇନରେ ରଖାଯାଉଥିବାରୁ ସ୍ଥିତି ନିୟନ୍ତ୍ରଣ ରହିଛି । ଏଥିଲାଗି ସେ ସରପଞ୍ଚ ଓ ଏସ୍ଏଚ୍ଜିଙ୍କୁ ପ୍ରଶଂସା କରିଛନ୍ତି । କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ରାଜ୍ୟରେ ଅନ୍ୟ ଅଞ୍ଚଳରେ ବସ୍, ସିଟି ବସ୍ ଓ ଯାତ୍ରୀବାହୀ ଗାଡ଼ି ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି। ଆସନ୍ତାକାଲି (ସୋମବାର)ଠାରୁ ସିଟି ବସ୍ ଚଳାଚଳ ଆରମ୍ଭ କରିବ । ତେବେ ବସ୍ରେ ଯେତିକି ସଂଖ୍ୟକ ସିଟ୍ କେବଳ ସେତିକି ଯାତ୍ରୀ ଯାଇପାରିବେ । କୌଣସି ଯାତ୍ରୀ ଛିଡ଼ା ହୋଇ ଯାଇପାରିବେନି । ବସ୍ ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ଯାତ୍ରୀଙ୍କଠାରେ କରୋନା ଲକ୍ଷଣ ଥିବ, ତାଙ୍କୁ ବସ୍ରେ ଯିବାକୁ ଅନୁମତି ଦିଆଯିବ ନାହିଁ । କେବଳ ବସ୍ ନୁହଁ, ଅଟୋରିକ୍ସା ଚଳାଚଳକୁ ବି ସରକାର ଅନୁମତି ଦେଇଛନ୍ତି । ଓଲା, ଉବେର ଆଦି ଟାକ୍ସି ଅପରେଟର୍ ୨୪ ଘଣ୍ଟିଆ ସେବା ଯୋଗାଇବେ । କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟରେ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦିଆଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି ।

Comments are closed.