ଭୁବନେଶ୍ୱର : ବହୁଚର୍ଚ୍ଚିତ ଖଣ୍ଡଗିରି କଳକୀ ବାବା କାଶୀନାଥଙ୍କର ବୈକୁଣ୍ଠ ଧାମ ଆଶ୍ରମ ପାଇଁ ବଢ଼ିଲା ଅଡୁଆ । ଅନ୍ତରୀଣ ସୁରକ୍ଷା ଆଦେଶକୁ ହଟାଇଲେ ହାଇକୋର୍ଟ । ଆଶ୍ରମ ପକ୍ଷରୁ କୋର୍ଟରେ ଦାଖଲ ରିପୋର୍ଟ ନକଲି ଜଣାପଡ଼ିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ହାଇକୋର୍ଟ ପକ୍ଷରୁ ଫେବୃଆରୀ ୩ ସୁଦ୍ଧା ଜବାବ ଦାଖଲ ପାଇଁ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତି ଶୁଣାଣି ଫେବୃଆରୀ ୩ ତାରିଖକୁ ଧାର୍ଯ୍ୟ କରାଯାଇଛି।
ସୂଚନାନୁସାରେ, ଖଣ୍ଡଗିରି ୨୦୨୪, ଡିସେମ୍ବର ୨୦ରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଏହି ଜମିକୁ ଟ୍ରଷ୍ଟ ନାଁରେ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୁପାରିଶ କରିଥିବା ଦର୍ଶାଇ ଆବେଦନକାରୀ ଦାଖଲ କରିଥିବା ଚିଠିଟି ଏକ ଜାଲ ଚିଠି । ଏ ନେଇ ସତ୍ୟପାଠ ଦାଖଲ କରିବାକୁ ଡିସେମ୍ବର ୨୦ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଏହାପରେ ଜାନୁଆରି ୨ରେ ସରକାରଙ୍କ ତରଫରୁ ଏହି ମର୍ମରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା । ଏପରି କୌଣସି ଚିଠି ଜାରି କରାଯାଇ ନଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । ଏହି ସତ୍ୟପାଠର କପି ଆବେଦନକାରୀ ଓ ବିଏମସିକୁ ପ୍ରଦାନ କରିବାକୁ ହାଇକୋର୍ଟ ଜାନୁଆରି ୩ରେ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ଆବେଦନର ଶୁଣାଣି ସମୟରେ ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ତଥ୍ୟ ସଂକ୍ରାନ୍ତରେ ସରକାରଙ୍କ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାପରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ଉଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଅନ୍ୟପଟେ ବୈକୁଣ୍ଠ ଧାମ ଆଶ୍ରମ ଭଙ୍ଗାଯିବା ଖବର ପ୍ରଚାରିତ ହେବା ପରେ ଖାଁ ଖାଁ ରହିଛି ପରିସର । ଅନ୍ତରୀଣ ସୁରକ୍ଷା ହଟିବା ପରେ ନାହାନ୍ତି ପୋଲିସ । ଆଶ୍ରମର ଫାଟକରେ ଭିତରୁ ତାଲା ପଡ଼ିଥିବା ବେଳେ ଏବେବେ ଫେରାର ଅଛନ୍ତି ଆତ୍ମଘୋଷିତ ବାବା କାଶୀନାଥ ଙ୍କ ସହ ପୁରା ପରିବାର । ଏହା ସହ ଆଶ୍ରମ ପରିସରରୁ ତାଙ୍କ ପୁଅର ଦାମୀ ବାଇକ ମଧ୍ୟ ଉଭାନ ହୋଇଯାଇଛି । ଗତକାଲି ବୈକୁଣ୍ଠ ଧାମ ଆଶ୍ରମ ଭଙ୍ଗା ଯିବା ନେଇ ଅନ୍ତରୀଣ ସୁରକ୍ଷା ହଟାଇଛନ୍ତି ହାଇକୋର୍ଟ ।

Comments are closed.