କାନପୁର: ୪ ମାସ ପୂର୍ବେ କାନପୁରର ଜଣେ ବ୍ୟବସାୟୀଙ୍କ ପତ୍ନୀ ନିଖୋଜ ହୋଇଯାଇଥିଲେ। ମହିଳାଙ୍କ ମୃତ ଦେହକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଏକ କ୍ଲବ ପାଖରୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଜଣେ ଜିମ୍ ଟ୍ରେନରକୁ ଗିରଫ କରାଯାଇଛି । ମହିଳାଙ୍କୁ ହତ୍ୟା କରିବା ପରେ ‘ଦୃଶ୍ୟମ୍’ ଚଳଚ୍ଚିତ୍ରରୁ ଅନୁପ୍ରାଣିତ ହୋଇ ମୃତଦେହକୁ ପୋତିବା ଓ ପ୍ରମାଣ ନଷ୍ଟ କରିବାର ଉପାୟ ପାଞ୍ଚିଥିଲେ ବୋଲି ଅଭିଯୁକ୍ତ ସ୍ବୀକାର କରିଛନ୍ତି। ଜୁନ୍ ୨୪ ତାରିଖରେ ଜିମ୍କୁ ଯାଇ ଏକତା ଗୁପ୍ତା (୩୨) ଆଉ ଫେରିନଥିଲେ। ଏନେଇ ତାଙ୍କ ସ୍ବାମୀ ରାହୁଳ, ଥାନାରେ ନିଖୋଜ ଅଭିଯୋଗ ଦାଏର କରିଥିଲେ। ଦୀର୍ଘ ଅନୁସନ୍ଧାନ ପରେ, ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଶେଷରେ ଜିମ୍ ଟ୍ରେନ୍ର ବିମଳ ସୋନିକୁ ଗିରଫ କରିଛି। ଏକତାଙ୍କ କଙ୍କାଳ ହୋଇଯାଇଥିବା ମୃତଦେହକୁ ଶନିବାର ଜିଲ୍ଲାପାଳଙ୍କ କ୍ୟାମ୍ପ୍ ଅଫିସ୍ ପରିସରରୁ ୧୫ ଫୁଟ ତଳୁ ଉଦ୍ଧାର କରାଯାଇଛି। ମହିଳାଙ୍କ ପିନ୍ଧିଥିବା ପୋଷାକରୁ ତାଙ୍କ ପରିବାର ସଦସ୍ୟମାନେ ଚିହ୍ନଟ କରିଛନ୍ତି। ପଚରାଉଚରାରେ ଅଭିଯୁକ୍ତ ଦେଇଥିବା ସୂଚନାନୁସାରେ, ଏକତା ଓ ଜିମ୍ ଟ୍ରେନର ବିମଳ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ତେବେ ବିମଳର ବିବାହ ଅନ୍ୟ ସ୍ଥାନରେ ସ୍ଥିର ହୋଇଥିଲା। ଏହି ଘଟଣା ଜାଣିବା ପରେ ଏକତା ଓ ବିମଳ ମଧ୍ୟରେ ବିବାଦ ହୋଇଥିଲା। ସେ ଜିମ୍କୁ ଯିବା ବନ୍ଦ କରିଦେଇଥିଲେ। ତେବେ ପୁଣି ୨୦ ଦିନ ପରେ ଜିମ୍କୁ ଫେରିଥିଲେ। ଉଭୟେ ସୋନିର କାର ଯୋଗେ ବାହାରକୁ ବାହାରିଥିଲେ। କାର୍ରେ ଉଭୟଙ୍କ ମଧ୍ୟରେ ଭୟଙ୍କର ଉଚ୍ଚବାଚ ହୋଇଥିଲା। ଏହି ସମୟରେ ସୋନିର ବିଧାମାଡ଼ରେ ଏକତା ଅଚେତ ହୋଇଯାଇଥିଲେ। ଏହାପରେ ସୋନି ତାଙ୍କୁ ହତ୍ୟା କରିଥିଲେ। ପୁଲିସ ଯେପରି ଜାଣିନପାରିବ ସେନେଇ ଦୃଶ୍ୟମ ଚଳଚ୍ଚିତ୍ରର ଅଜୟ ଦେବଗନଙ୍କ ଭଳି ଏକତାଙ୍କ ମୃତଦେହକୁ ନେଇ ଜିଲ୍ଲାପାଳଙ୍କ ସରକାରୀ ବାସଗୃହ ପାର୍ଶ୍ବସ୍ଥ ଏକ କ୍ଲବରେ ପୋତିଦେଇଥିଲେ।

Comments are closed.