ନୂଆଦିଲ୍ଲୀ: ପାକିସ୍ତାନରେ ତାଲିବାନ ଆତଙ୍କବାଦୀ ଆକ୍ରମଣ ହୋଇ ୧୦ ପୁଲିସ ଅଫିସର ନିହତ ହୋଇଛନ୍ତି। ଆଫଗାନିସ୍ତାନ ସୀମା ନିକଟସ୍ଥ ଏକ ଚେକ୍ପୋଷ୍ଟ୍ ଉପରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୦ ପାକିସ୍ତାନୀ ପୁଲିସ ଅଫିସର ନିହତ ହୋଇଛନ୍ତି ଏବଂ ଆହୁରି ୭ ଜଣ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି। ଖାଇବର ପଖ୍ତୁନ୍ଖ୍ବା ପ୍ରଦେଶର ଡେରା ଇସମେଲ୍ ଜିଲ୍ଲାରେ ଏହି ଆକ୍ରମଣ ହୋଇଛି। ସୀମାରେ ନିୟୋଜିତ ପୁଲିସ ଅଫିସର୍ଙ୍କ ଏକ ଶିବିରକୁ ପ୍ରାୟ ୨୦ରୁ ୨୫ ଆତଙ୍କବାଦୀ ଟାର୍ଗେଟ୍ କରିଥିଲେ। ପୁଲିସ-ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଗୁଳି ବିନିମୟ ହୋଇଥିଲା। ପାକିସ୍ତାନ ତାଲିବାନ ତଥା ତେହରିକ୍ ଏ ତାଲିବାନ ପାକିସ୍ତାନ (ଟିଟିପି) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଉଲ୍ଲେଖଯୋଗ୍ୟ, ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ୍ ଶାସନ ଭାର ଗ୍ରହଣ କରିବା ପରଠାରୁ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିଚାଲିଛି। ବିଶେଷ କରି ସୁରକ୍ଷାବାହିନୀକୁ ଟାର୍ଗେଟ୍ କରି ତାଲିବାନ ଆକ୍ରମଣ ବଢ଼ୁଛି।

Comments are closed.