ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ବ୍ୟାକ୍ପେନ୍ ସବୁଠାରୁ ସାଧାରଣ ରୋଗ ଭାବେ ଉଭା ହୋଇଛି । ବିଭିନ୍ନ ବୟସର ଲୋକଙ୍କ ପାଖରେ ଏହି ସମସ୍ୟା ଦେଖିବାକୁ ମିଳୁଛି । ସ୍କୁଲ କଲେଜ ହେଉ କିମ୍ବା ଅଫିସ୍ ସବୁ ସ୍ଥାନରେ ଆମମାନଙ୍କୁ ଅନେକ ସମୟ ସ୍ଥିର ହୋଇ ଗୋଟିଏ ସ୍ଥାନରେ ବସିବାକୁ ପଡୁଛି । ଯାହା ଏହି ବ୍ୟାକ୍ ପେନ୍ର ପ୍ରମୁଖ କାରଣ ହୋଇଥାଏ ବୋଲି ଡାକ୍ତର ମାନେ ମତ ଦେଇଛନ୍ତି । ତେବେ ଏହାର କାରଣ ବିଷୟରେ ଜାଣିପାରିଲେ ଏହାକୁ ଚିକିତ୍ସା କରିବାରେ ମଧ୍ୟ ସୁବିଧା ହୋଇଥାଏ । ଆମର ଭର୍ଟିବ୍ରେ, ସ୍ପାଇନାଲ କର୍ଡ, ଲିଗାମେଣ୍ଟ କିମ୍ବା ମସଲ୍ରେ ସମସ୍ୟା ହେଲେ ଆମର ପିଠିରେ ଯନ୍ତ୍ରଣା ହୋଇଥାଏ । ତେବେ ଏତିକି ନୁହେଁ ଅନ୍ୟ ଅଙ୍ଗରେ ସମସ୍ୟା ହେଲେ ମଧ୍ୟ ପିଠି ଯନ୍ତ୍ରଣା ହେବାର ଆଶଙ୍କା ରହିଛି । ଏହି ସମସ୍ୟାର ପ୍ରଥମ ଲକ୍ଷଣ ଭାବେ ଗୋଡ ଓ ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯେତେବେଳେ ଆପଣ କୌଣସି ଓଜନିଆ ସାମଗ୍ରୀ ଉଠାନ୍ତି କିମ୍ବା ତଳକୁ ନଇଁଥାଆନ୍ତି ସେହି ସମୟରେ କଷ୍ଟ ହୋଇଥାଏ । ଦେଖିବାକୁ ମିଳେ ଏହି ସମୟରେ ପିଠିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ସେହିଭଳି ଏହି ଯନ୍ତ୍ରଣା ଶୋଇବା ବେଳେ କିମ୍ବା ବସିବା ବେଳେ ମଧ୍ୟ ହୋଇଥାଏ । ତେବେ ପିଠିର ଏହି ଯନ୍ତ୍ରଣା ସବୁସମୟରେ ହୋଇନଥାଏ । ବେଳେବେଳେ ଯନ୍ତ୍ରଣା ଅନୁଭୂତ ହେଉଥିବାବେଳେ ବେଳେବେଳେ କିଛି ଜଣା ପଡିନଥାଏ । ତେଣୁ ଯଦି ଏଭଳି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Comments are closed.