ବ୍ରୁନେଇ ପରେ ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସିଙ୍ଗାପୁର: ବ୍ରୁନେଇ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ସିଙ୍ଗାପୁର ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ମୋଦୀ ନିଜର ସିଙ୍ଗାପୁର ଗସ୍ତ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି, ଭାରତର ସଂସ୍କାର ଓ ଯୁବଶକ୍ତିଙ୍କ କୁଶଳତା ଯୋଗୁଁ ଆମ ଦେଶ ପୁଞ୍ଜିନିବେଶ ନିମନ୍ତେ ଏକ ଉତ୍କୃଷ୍ଟ ସ୍ଥାନରେ ପରିଣତ ହୋଇଛି। ଏହା ସହ ଆମେ (ଉଭୟ ସିଙ୍ଗାପୁର ଓ ଭାରତ) ଉଭୟ ଦେଶର ନିବିଡ଼ ସାଂସ୍କୃତିକ ସମ୍ପର୍କ ନିମନ୍ତେ ମଧ୍ୟ ଉଦ୍ୟମ କରିବୁ। ସିଙ୍ଗାପୁରରେ ପହଞ୍ଚିବା ପରେ ସ୍ଥାନୀୟ ଭାରତୀୟଙ୍କ ଦ୍ବାରା ଉଚ୍ଛ୍ବସିତ ସ୍ବାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କ ସହ ଯୋଗଦେଇ ଢୋଲ ବଜାଇଥିଲେ। ଏହାପରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍‌ସ ୱଙ୍ଗ୍‌ ପ୍ରତିପକ୍ଷ ମୋଦୀଙ୍କୁ ସ୍ବାଗତ କରିବା ସହ କୁଣ୍ଢାଇ ପକାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ନିଜ ସରକାରୀ ବାସଭବନରେ ରାତ୍ରୀଭୋଜନର ଆୟୋଜନ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର, ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନ୍‌ଏସ୍‌ଏ) ଅଜିତ ଡୋଭଲ୍‌ଙ୍କ ସମେତ ଉଭୟ ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ। ଗସ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ମନ୍ତ୍ରୀ ଲି ହିସେନ୍‌ ଲୁଙ୍ଗ୍‌ ଓ ଏମିରଟସ୍‌ ବରିଷ୍ଠ ମନ୍ତ୍ରୀ ଗୋ ଚୋକ୍‌ ଟୋଙ୍ଗ୍‌ଙ୍କୁ ସାକ୍ଷାତ କରିବେ। ସ୍ଥାନୀୟ ଶିଳ୍ପପତିଙ୍କ ସହ ମଧ୍ୟ ପୁଞ୍ଜିନିବେଶ ଓ ବ୍ୟବସାୟିକ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ।

Govt

Comments are closed.