ପୁରୀ : ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି। ଆଜିଠୁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ଵାର। ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟିଲା। ସକାଳ ମଙ୍ଗଳ ଆଳତି ପରେ ଚାରି ଦ୍ଵାର ଖୋଲାଯାଇଛି। ରାଜ୍ୟରେ ବିଜେପି ସରକାର ଗଠନ ହେବାର ୨୪ ଘଣ୍ଟା ମଧ୍ୟରେ ଖୋଲିଛି ଶ୍ରୀମନ୍ଦିର ୪ ଦ୍ୱାର I ଶ୍ରୀ ମନ୍ଦିର ଖୋଲିବା ପରେ ସକାଳୁ ମୁଖ୍ୟମନ୍ତ୍ରୀଙ୍କ ସହିତ କ୍ୟାବିନେଟ ମନ୍ତ୍ରୀ ତଥା ଭକ୍ତମାନେ ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି।
କରୋନା କାଳରୁ ବ୍ୟାରିକେଡ଼ ଲଗାଯିବା ସହିତ ବନ୍ଦ ରହିଥିଲା ଶ୍ରୀମନ୍ଦିର ୪ ଦ୍ୱାର I ଚାରିଦ୍ଵାର ଖୋଲିବା ନେଇ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା। ତେଣୁ ଚାରି ଦ୍ଵାର ଖୋଲିବା ପରେ ଶ୍ରଦ୍ଧାଳୁମାନେ ଖୁସି ବ୍ୟକ୍ତ କରିଛନ୍ତି। ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାନୁସାରେ,ବୁଧବାର କ୍ୟାବିନେଟ ବୈଠକ ପରେ ୪ ଦ୍ୱାର ଖୋଲିବା ନେଇ ବଡ଼ ନିଷ୍ପତ୍ତି ନିଆଯାଇଥିଲା। ପରେ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦ୍ୱାର ଖୋଲା ଯିବା ପରେ କେଉଁ ବ୍ୟବସ୍ଥା କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।

Comments are closed.