ସୁଧୁରୁନି ଦିଲ୍ଲୀ ବାୟୁ ମାନ , ଆନନ୍ଦ ବିହାର ଏକ୍ୟୁଆଇ ୯୯୯

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁର ମାନ ସୁଧୁରୁନି। ଦିଲ୍ଲୀରେ ସାମଗ୍ରିକ ବାୟୁ ମାନ ପୁଣିଥରେ ଅତି ସାଂଘାତିକ ଶ୍ରେଣୀକୁ ଚାଲିଯାଇଛି। ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ଅନୁଯାୟୀ ଗତକାଲି ସକାଳ ୭ଟାରେ ଦିଲ୍ଲୀ ବାୟୁ ମାନ ସୂଚକାଙ୍କ ୪୨୧ ଥିଲା। ଗତକାଲି ରାତି ୧୦ଟାରେ ଆନନ୍ଦ ବିହାର ଏକ୍ୟୁଆଇ ସର୍ବାଧିକ ୯୯୯ ହୋଇଥିବା ରେକର୍ଡ କରାଯାଇଥିଲା। ଦୀପାବଳି ପୂର୍ବରୁ ଏଠାରେ ବାୟୁର ମାନ ଅତି ବିପର୍ଯ୍ୟୟ ସ୍ଥିତିକୁ ଚାଲିଯାଇଛି। ଇତି ମଧ୍ୟରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ କନଟ୍‌ ପ୍ଲେସ୍‌ରେ ଲାଗିଥିବା ୨୩ କୋଟି ଟଙ୍କାର ସ୍ମଗ୍‌ ଟାୱାର ବନ୍ଦ ଥିବାବେଳେ ଏହା ପୁଣିଥରେ କାର୍ଯ୍ୟକ୍ଷମ ହେବ। ରକ୍ଷଣାବେକ୍ଷଣ ଏବଂ ସେବା ବିଭାଗ ଅଧିକାରୀମାନେ ସ୍ମଗ୍‌ ଟାୱାର ନିକଟରେ ପହଞ୍ଚିଛନ୍ତି। ସୁପ୍ରିମକୋର୍ଟ ଗତକାଲି ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଅଧ୍ୟକ୍ଷ ଅଶ୍ବନୀ କୁମାରଙ୍କୁ ସମନ୍‌ କରିଥିଲେ। ଦିଲ୍ଲୀରେ ୨ଟି ସ୍ମଗ୍‌ ଟାୱା ର ବନ୍ଦ ଥିବା ନେଇ କୋର୍ଟ ପ୍ରଶ୍ନ କରିଥିଲେ ଏବଂ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାପାଇଁ କହିଥିଲେ। ୨୪ ମିଟର ଉଚ୍ଚ ଏହି ସ୍ମଗ୍‌ ଟାୱାର ୨୦୨୧ରେ ନିର୍ମାଣ ହୋଇଥିଲା ଏବଂ ଏହା ପ୍ରତି ସେକେଣ୍ଡ୍‌ ପିଛା ୧ କିମି ବ୍ୟାସାର୍ଦ୍ଧ ମଧ୍ୟରେ ୧୦୦୦ କ୍ୟୁବିକ ମିଟର ବାୟୁ ବିଶୁଦ୍ଧ କରିବାର କ୍ଷମତା ରଖିଛି। ଦିଲ୍ଲୀରେ ଲୋଧି ରୋଡ୍‌, ଜେଏଲଏନ୍‌ ଷ୍ଟାଡିୟମ, ସିରି ଫୋର୍ଟ, ଅରବିନ୍ଦ ମାର୍ଗ ଏବଂ ଦିଲଶାଦ ଗାର୍ଡେନକୁ ଛାଡ଼ିଦେଲେ ସମସ୍ତ ‌ଷ୍ଟେସନ୍‌ରେ ଦିଲ୍ଲୀର ବାୟୁର ମାନ ଅତି ସାଂଘାତିକ ରହିଛି।

Comments are closed.