ଦେଶବ୍ୟାପୀ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ

ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା‌ ଦାହ

ନୂଆଦିଲ୍ଲୀ, ୨୫/୩ : କଂ‌‌ଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରୁ ଅଯୋଗ୍ୟ ଘୋ‌ଷିତ ହେବାର ଦିନକ ପ‌ରେ ଆଜି କଂଗ୍ରେସ କର୍ମୀମାନେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ କରିଛନ୍ତି। କେରଳର ୱାୟନାଡ଼ରେ କଂଗ୍ରେସ କର୍ମୀମାନେ କଳା ଦିବସ ପାଳନ କରିଛନ୍ତି। ଦଳୀୟ କର୍ମୀମାନେ ମଧ୍ୟ ଆଜି ବିଶାଳ ଆନ୍ଦୋଳନ କରିଥିଲେ। ବାଟରେ ଥିବା‌ ପୁଲିସ ବ୍ୟାରିକେଡ୍‌କୁ ସେମାନେ ଭାଙ୍ଗିବାକୁ ଚେଷ୍ଟା କରିବାରୁ ଅନେକ କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ ରଖିଛି। ଦିଲ୍ଲୀରେ ମଧ୍ୟ ଆନ୍ଦୋଳନ ହୋଇଛି। ଦିଲ୍ଲୀରେ ଏଆଇସିସି ମୁଖ୍ୟାଳୟ ନିକଟରେ ଯୁବ କଂଗ୍ରେସ ସଦସ୍ୟମାନେ ରାହୁଲ ଗାନ୍ଧିଙ୍କ ମାସ୍କ ପିନ୍ଧି ଆନ୍ଦୋଳନ କରିଛନ୍ତି। ସେମାନେ ‘ଡରୋ ମତ୍‌’ ସ୍ଲୋଗାନ ଲେଖାଥିବା ଏକ ପ୍ଲାକାର୍ଡ ଧରି ଆନ୍ଦୋଳନ କରିଛନ୍ତି। ଚଣ୍ଡିଗଡ଼ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ଆନ୍ଦୋଳନ ହୋଇଛି। ଚଣ୍ଡିଗଡ଼ ଯୁବ କଂଗ୍ରେସ ସଦସ୍ୟମାନେ ଆଜି ଆନ୍ଦୋଳନ କରି ଚଣ୍ଡିଗଡ଼ ରେଳ ‌ଷ୍ଟେସନ୍‌ରେ ନୂଆଦିଲ୍ଲୀ-ଚଣ୍ଡିଗଡ଼ ଶତାବ୍ଦୀ ଟ୍ରେନ୍‌ ଅଟକାଇଛନ୍ତି। ଭୋପାଳରେ କଂଗ୍ରେସର ବରିଷ୍ଠ ସଦସ୍ୟମାନେ ରାହୁଲଙ୍କ ଅଯୋଗ୍ୟ ଘୋଷଣା ବିରୋଧରେ ଆନ୍ଦୋଳନ କରିଛନ୍ତି। ପାଟିରେ ତାଲା ବାନ୍ଧି ସେମାନେ ଆନ୍ଦୋଳନରେ ବସିଛନ୍ତି। ହାଇଦ୍ରାବାଦରେ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ଏବଂ ସରକାର ବିରୋଧରେ ସ୍ଲୋଗାନ ଦେଇଛନ୍ତି। ଝାଡ଼ଖଣ୍ଡରେ ମଧ୍ୟ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ମେଣ୍ଟର ସଦସ୍ୟ ମାନେ ରାଜ୍ୟ ବିଧାନସଭା ବାହାରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦକୁ ବିରୋଧ କରି ଆନ୍ଦୋଳନ କରିଛନ୍ତି। ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକ୍‌ରେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ଥିଲେ।

Launching Ceremony of “AYUSHMAN BHARAT

Comments are closed.