ଭୁବନେଶ୍ୱର : ୧୭ ବର୍ଷରୁ ଊର୍ଦ୍ଧ୍ୱ ବୟସର ଯୁବକଯୁବତୀମାନେ ଚାହିଁଲେ ଆଗୁଆ ଭାବେ ଭୋଟର୍ ତାଲିକାରେ ନାମ ପଞ୍ଜୀକରଣ କରିପାରିବେ । ସେଥିପାଇଁ ସେମାନଙ୍କୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଚଳିତ ଭୋଟର୍ ହେଲ୍ପଲାଇନ୍ ଓ ଏନ୍ଭିଏସ୍ପି ଭଳି ଆପ୍ର ଜରିଆରେ ଆବେଦନ କରିବାକୁ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର୍ ଲୋହାନୀ କହିଛନ୍ତି । ଆସନ୍ତା ଜାନୁଆରୀ ୨୫ରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ଗୁରୁବାର ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଲୋହାନୀ ଏହା କହିଛନ୍ତି । ଏହାଛଡ଼ା ଶ୍ରୀ ଲୋହାନୀ କହିଛନ୍ତି ଯେ, ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସକୁ ସ୍ମରଣ କରିବା ସହ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ପ୍ରତିବର୍ଷ ଜାନୁଆରୀ ୨୫କୁ ଜାତୀୟ ମତଦାତା ଦିବସ ଭାବେ ଦେଶରେ ପାଳନ କରାଯାଉଛି ।
ଭୋଟର୍ ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ପୂର୍ବରୁ ଗୋଟିଏ ଯୋଗ୍ୟତାସୂଚକ ତାରିଖ ଥିଲା । ବର୍ତ୍ତମାନ ତାହା ପରିବର୍ତ୍ତନ କରାଯାଇ ଗୋଟିଏ ବର୍ଷରେ ୪ଟି ଯୋଗ୍ୟତାସୂଚକ ତାରିଖ ସ୍ଥିର କରାଯାଇଛି । ପଞ୍ଜୀକରଣ ନିମନ୍ତେ ସହଜ ଓ ସରଳ ଫର୍ମର ବ୍ୟବହାର କରାଯାଉଛି । ଅଯୋଗ୍ୟ ଭୋଟର୍ଙ୍କୁ ତାଲିକାରୁ ବାଦ୍ ଦେବା ନିମନ୍ତେ ଭୋଟର୍ ଫଟୋ ପରିଚୟ ପତ୍ର ସହ ଆଧାର କାର୍ଡ଼ ସଂଯୋଗ ଇତ୍ୟାଦି ବ୍ୟବସ୍ଥାର ପ୍ରଚଳନ କରାଯାଇଛି । ଅନ୍ୟପକ୍ଷରେ ଜାତୀୟ ମତଦାତା ଦିବସ ପାଳନ ଅବସରରେ ଜାନୁଆରୀ ୨୫ରେ ମହାବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନଙ୍କର ଛାତ୍ରଛାତ୍ରୀ(୧୭ ବର୍ଷରୁ ଊର୍ଦ୍ଧ୍ୱ)ଙ୍କ ଦ୍ୱାରା ଶୋଭାଯାତ୍ରା, କୁଇଜ୍, ତର୍କ, ରଙ୍ଗୋଲି ପେଣ୍ଟିଂ ଇତ୍ୟାଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହେବାକୁ ବୈଠକରେ ସ୍ଥିର କରାଯାଇଛି ।
Comments are closed.