ମଥୁରା : କଥାଟା ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି ଘଟଣାଟି ସତ I ପୋଲିସ ଆଖିରେ ଧୂଳି ଦେଇ ମୂଷା ଖାଇଯାଇଛନ୍ତି ୫୮୧ କିଲୋର ଗଞ୍ଜେଇ I ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣା ପଡିଛି I ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ପୋଲିସ ନିଜର ଅସହାୟତା ପ୍ରକଶ କରି ମୂଷା ଙ୍କ ଉପରେ ସବୁ ଦୋଷ ଲଦି ଦେଇ ଥିବାବେଳେ କୋର୍ଟ ଏହାର ପ୍ରମାଣ ମାଗିଛନ୍ତି I
ଘଟନାନୁସାରେ ,ମଥୁରା ଅଞ୍ଚଳର ଶେରଗଡ ଏବଂ ହାଇୱେ ପୁଲିସ୍ ଷ୍ଟେସନ ଅଂଚଳରୁ ୨ଟି ମାମଲାରେ ପ୍ରାୟ ୫୮୧କେଜି ଗଞ୍ଜେଇ ଜବତ ହୋଇଥିଲା। ୨୦୨୦ ମେ ମାସରେ ୩ଜଣ ବ୍ୟକ୍ତି ଗୋଟିଏ ଟ୍ରକ୍ରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମଥୁରା ପୋଲିସ ଗିରଫ କରିଥିଲେ। ଟ୍ରକ୍ରେ ଥିବା ମାଣ୍ଡିଆ ବସ୍ତାରୁ ପୁଲିସ ୩୮୬ କିଲୋ ଗଞ୍ଜେଇ ଉଦ୍ଧାର କରି ୩ ଅଭିଯୁକ୍ତ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ସେହିପରି ଅନ୍ୟ ଏକ ଘଟଣାରେ ରାଜପଥ ଥାନା ଅଞ୍ଚଳରୁ ୧୯୫ କିଲୋ ଗଞ୍ଜେଇ ଜବତ କରାଯାଇଥିଲା I
ଉପରୋକ୍ତ ମାମଲାର ବିଚାର ବେଳେ ଜବତ ହୋଇଥିବା ଗଞ୍ଜେଇ ଦାଖଲ କରିବା ଲାଗି ଅଦାଲତ ପୁଲିସକୁ ଆଦେଶ ଦେଇଥିଲେ। ଏହା ଶୁଣି ପୁଲିସର ହାଲତ ଖରାପ ହୋଇ ଯାଇଥିଲା, ପୁଲିସ କହିଥିଲା ଯେ, ମୁଦଦିଆ ପ୍ୟାକେଟ୍ରେ ଗୋଦାମ ଘରେ ରଖାଯାଇଥିବା ଗଞ୍ଜେଇକୁ ମୂଷା ଖାଇ ଦେଇଛନ୍ତି। ଜବତ ଗଞ୍ଜେଇ ମୂଷା ଦାଉରୁ ରକ୍ଷା କରିବା ପାଇଁ ଥାନାରେ ନିରାପଦ ସ୍ଥାନ ନାହିଁ। ତେବେ କୋର୍ଟ ଏଥିରେ ଅସନ୍ତୋଷ ପ୍ରକାଶ କରି ଏହା କିପରି ସମ୍ଭବ ହେଲା ବୋଲି ପଚାରିବା ସହ ପୁଲିସ୍ର ଦାୟିତ୍ୱ ହୀନତାକୁ ଦାୟୀ କରି ବର୍ଷିଥିଲେ।ଏହାସହ ଜିଲ୍ଲା ଜଜ୍ ମଥୁରାର ‘ଏସ୍ଏସ୍ପି’ ଅଭିଷେକ ଯାଦବଙ୍କୁ ପ୍ରଥମେ ମୂଷା ଉତ୍ପାତ ଦମନ କରିବାକୁ କହିବା ସହିତ ୬୦ ଲକ୍ଷ ଟଙ୍କାର ୫୮୧ କିଲୋ ଗଞ୍ଜେଇକୁ ପ୍ରକୃତରେ ମୂଷା ଖାଇଥିବାର ପ୍ରମାଣ ଦେବାକୁ ଆଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୨୬ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି I

Comments are closed.