ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବିଶ୍ୱ ଶାନ୍ତି ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଦୁଇ ରାଜ୍ୟର ଶତାଧିକ ଭକ୍ତ ମିଶି ଆୟପାସ୍ୱାମୀ ପୂଜା କରି ଜଳନ୍ତା ନିଆଁରେ ଚାଲିଛନ୍ତି । ମାଲ୍ୟବନ୍ତ ପର୍ବତ ମଲିକେଶ୍ୱର ମନ୍ଦିର ନିକଟରେ ଆୟପା ଭକ୍ତମାନେ ସୋମବାର ରାତ୍ରରୁ ମଙ୍ଗଳବାର ଭୋର ପର୍ଯ୍ୟନ୍ତ ଆଇପୂଜାର ଆୟୋଜନ କରିଥିଲେ । ଏହି ପୂଜାରେ ଅବିଭକ୍ତ କୋରାପୁଟ ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, ରାୟଗଡା,କୋରାପୁଟ ସହିତ ପୋଡ଼ଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସିଲେରୁ ଅଞ୍ଚଳର ଶହ ଶହ ଆୟପା ଭକ୍ତ ଯୋଗ ଦେଇଥିଲେ । ଏହି ପୂଜା ଦ୍ୱାରା ନିଜପରିବାରରୁ ରୋଗ ଦୁଃଖ ଦୂର ହୋଇ ସୁଖ ଶାନ୍ତିରେ ଭରି ଉଠିବା ସହିତ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେବ ।
ଶ୍ରଦ୍ଧାଳୁ ଭକ୍ତମାନେ ପ୍ରଥମେ ମାଲକାନଗିରିର ସହର ପରିକ୍ରମା ପରେ ମଲ୍ଲିକେଶ୍ୱର ପାହାଡ ନିକଟରେ ଆୟପା ସ୍ୱାମୀଙ୍କର କ୍ଷୀର, ମହୁ, ଦହି, ଗଙ୍ଗାଜଳରେ ମହାଅଭିଷେକ କରିବା ସହ ଭଜନ କୀର୍ତ୍ତନର ଆସର ଜମିଥିଲା । ଶେଷରେ ଆୟପା ଭକ୍ତ ଓ ମା ଭବାନୀଙ୍କ ଭକ୍ତମାନେ ଜଳନ୍ତା ନିଆଁରେ ଚାଲି ନିଜ ପରିବାରସହ ଅଞ୍ଚଳବାସୀଙ୍କ ଶୁଭ ମନାସିଥିଲେ । ଏହି ପୁଜା ଦେଖିବାପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା । ଏହି ପୂଜା ବିଧି ବିଧାନ ବଡ଼ ବିଚିତ୍ର ।ଗୁରୁସ୍ୱାମୀ ଭକ୍ତ ମାନେ ଦୀର୍ଘ ୪୫ ଦିନ ଧରି ଘର ଛାଡ଼ି ଜଙ୍ଗଲ ଓ ମନ୍ଦିର ରେ ଖାଲି ପାଦ ରହି କଳା ରଙ୍ଗର ବସ୍ତ୍ର ପରିଧାନ କରି ଦିନକୁ ଥରେ ମାତ୍ର ସୁଦ୍ଧ ଆହର କରି ବ୍ରତପାଳନ କରନ୍ତି । ସୂର୍ଯ୍ୟ ଉଦୟ ପୂର୍ବରୁ ନଦୀ କିମ୍ବା ପୋଖରୀ ଜଳରେ ସ୍ନାନ କରି ଆୟପାଙ୍କ ପୂଜାର୍ଚ୍ଚନା କରିଥାନ୍ତି ।

Comments are closed.