ଉତ୍ତରପ୍ରଦେଶ:ପ୍ରୟାଗରାଜ ସହରରେ ଘଟି ଯାଇଛି ଭୟଙ୍କର ସଡ଼କ ଦୁର୍ଘଟଣା I ଏହି ଦୁର୍ଘଟଣାରେ ୫ ଜଣ ମହିଳା ଓ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ପାଞ୍ଚ ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନାନୁଯାୟୀ, କାନପୁରରୁ ବାରାଣାସୀ ଅଭିମୁଖେ ଶିବଙ୍କୁ ଦର୍ଶନ ପାଇଁ ଏକ ପରିବାର ଟାଭେରା କାର ରେ ଯାଉଥିଲେ I ଆଜି ସକାଳ ୬.୪୦ ସମୟରେ କାରଟି ନିୟନ୍ତ୍ରଣ ହରାଇ ହାଣ୍ଡିଆ ଟୋଲ ପ୍ଲାଜା ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଦେହରେ ମାଡ଼ ହୋଇ ପୋଲ ତଳକୁ ଖସି ପଡିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୫ ଜଣ ମହିଳାଙ୍କ ସମେତ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ହାଣ୍ଡିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ପଞ୍ଚନାମା ଶେଷ ହେବା ପରେ ପୋଲିସ ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏଥିସହ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ତଦନ୍ତ କାର୍ଯ୍ୟ ଜାରି ରଖିଛି I
ଏହି ଦୁର୍ଘଟଣା ଖବର ଶୁଣି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି । ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇବା ପାଇଁ ଡିଏମ୍ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.