ଟିଟିଲାଗଡ଼ରେ ବିଶାଳ ଚାଷୀ ଆନ୍ଦୋଳନ: ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷତିପୂରଣ ଦାବିରେ ତେଜିଲେ ଚାଷୀ, ଟ୍ରେନ ବାତିଲ

ଟିଟିଲାଗଡ଼: ଗତ ୨୦୨୧ ମସିହା ଫସଲ ବୀମା କ୍ଷତିପୂରଣଦାବି ନେଇ ଗର୍ଜିଲା ବଲାଙ୍ଗିର ଜିଲ୍ଲା କୃଷକ ମହାସଂଗଠନ । ହଜାର ହଜାର ଚାଷୀ ଟିଟିଲାଗଡ଼ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରେଳ ଷ୍ଟେସନକୁ ଧସେଇ ପଶିଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ ପୋଲିସ ସହ ଧସ୍ତାଧସ୍ତି ସମୟରେ ଚାଷୀ ନେତା ସହ ରେଲ ସୁରକ୍ଷା ବଳ କର୍ମଚାରୀ ତଲେ ପଡି ଯାଇଥିଲେ । ପୋଲିସର ସୁରକ୍ଷା ବ୍ୟାରିକେଟ ରୋକି ପାରି ନ ଥିଲା ଚାଷୀଙ୍କ ଆନ୍ଦୋଳନ ଆଗରେ ।

୨୦୨୧ରେ ଜିଲ୍ଲାର ୧୪ ଗୋଟି ବ୍ଲକର ଚାଷୀ ମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ । ହେଲେ ଜିଲ୍ଲାର ୯୫ ଗୋଟି ପଞ୍ଚାୟତ ବୀମା ପାଇବାର ହକଦାର ଥିବା ବେଳେ ଗତ ଏକ ବର୍ଷ ଧରି ବୀମା କମ୍ପାନୀ ବୀମା କ୍ଷତିପୂରଣ ରାଶି ପଇଠ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଚାଷୀ ସଂଗଠନ ଅଭିଯୋଗ କରିଛି । ବୀମା ରାଶି ତୁରନ୍ତ ଚାଷୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ପଇଠ କରିବା ନେଇ ଅନେକ ଥର ଦାବି କରିଛି ଜିଲ୍ଲା କୃଷକ ମହା ସଂଗଠନ । ଗତ ମାସ ୨୬ ତାରିଖ ଦିନ କୃଷକ ମହାସଂଘ ବଲାଙ୍ଗିର ଜିଲ୍ଲାର ଲାଠୋର, ବଲାଙ୍ଗିର ଏବଂ ଟିଟିଲାଗଡ଼ ରେଳ ଷ୍ଟେସନରେ ରେଳ ରୋକ କରିଥିଲା ।

ସବୁ ସମୟରେ ଜିଲ୍ଲାପ୍ରଶାସନ କେବଳ ପ୍ରତିଶୃତି ଦେଇ ଚାଲିଥିବା ବେଳେ କୌଣସି ଫଳପ୍ରଦ ହେଉ ନଥିବାରୁ କୃଷକ ମହା ସଂଗଠନ ଚଳିତ ମାସ ୧୩ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲା । ହେଲେ ଗତ ୧୩ ତାରିଖରେ ବି ବୀମା ରାଶି ନେଇ କୌଣସି ସଠିକ ଉତ୍ତର ନ ପାଇ ଟିଟିଲାଗଡ଼ ସହରରେ ଶୁକ୍ରବାର ରେଳ ରୋକ ଆନ୍ଦୋଳନ କରିଛି ।ଟିଟିଲାଗଡ଼ ହାଇସ୍କୁଲ ଖେଳ ପଡିଆ ରୁ କୃଷକ ସଂଗଠନ ର ଜିଲ୍ଲା ସଭାପତି ଯତି ପ୍ରଧାନ, ସମ୍ପାଦକ ଚଗଲା ପରିଛା,ଯୁଗ୍ମସମ୍ପାଦକ ଗଗନ ନାଥ ସଂଯୋଜକ ବୀରେନ୍ଦ୍ର ବାଗ, ମଧୁ ସୁଦନ କ୍ଷେତି, ମଦନ ମୋହନ କୁମ୍ଭାର, କୃଷ୍ଣ ବଗର୍ତି, କ୍ଷମାନିଧି ଭୋଇ, କୃଷ୍ଣ ନାୟକଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ କେନ୍ଦ୍ର ଏବଂ ରାଜ୍ୟ ସରକାର ବିରୋଧରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ରେଳ ଷ୍ଟେସନ କୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରେଳ ଷ୍ଟେସନରେ ରହିଥିବା ରାୟପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ ସମ୍ମୁଖରେ ଧାରଣା ଦେବା ସହ ଟ୍ରେନକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ ।

ଟିଟିଲାଗଡ଼ ରେଳ ଷ୍ଟେସନର ୫ ଗୋଟି ପ୍ଲାଟଫର୍ମରେ ଚାଷୀମାନେ ଆନ୍ଦୋଳନରତ ଥିଲେ । ଷ୍ଟେସନ ଭିତରେ ରେଳ ରୋକ ଆନ୍ଦୋଳନ ଚାଲିଥିବା ଯୋଗୁଁ ଅନେକ ରେଳ ଷ୍ଟେସନ ମାନଙ୍କରେ ବିଭିନ୍ନ ଟ୍ରେନ ଗୁଡିକ ମଧ୍ୟ ଅଟକ ରହିଥିଲା । ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଆସି ଆଲୋଚନା କରିଥିଲେ ମଧ୍ୟ ଆନ୍ଦୋଳନ କାରି ମାନେ ବୀମା କ୍ଷତିପୂରଣ ଟଙ୍କା ଦାବୀ ନେଇ ଅଡ଼ି ବସିଥିଲେ । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ ପି ନିତିନ କୁଶଲକର ମଧ୍ୟ ଘଟଣା ସ୍ଥଳରେ ପହଂଚି ଆନ୍ଦୋଳନକାରୀ ମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ରେ ପୁଣି ରୁଦ୍ଧଦ୍ୱାର ବୈଠକରେ ଚାଷୀ ସଂଗଠନର ନେତାମାନଙ୍କ ସହ ଆଲୋଚନା ହୋଇଥିଲା । ଚାଷୀ ମାନେ ଦୁଇ ଗୋଟି ମୁଖ୍ୟ ଦାବୀ ପ୍ରଶାସନ ଉପରେ ରଖିଥିଲେ । ବୀମା କମ୍ପାନୀ ର ଓଡିଶା ମୁଖ୍ୟ ଙ୍କୁ ଏବଂ ବୀମା କମ୍ପାନୀର ନିର୍ଦେଶକଙ୍କୁ ଗିରଫ କରି ବୀମା ଟଙ୍କା ନ ଦେବା ଯାଏଁ ଜିଲ୍ଲା ପୋଲିସ ଅଟକ ରଖିବା ସହ ବୀମା ଟଙ୍କା ଫେରାଇବା ପାଇଁ ଚାପ ପ୍ରୟୋଗ କରିବାକୁ ଦାବୀ କରିଥିଲେ । ନଚେତ ଚାଷୀ ମାନଙ୍କ ଆକାଉଣ୍ଟରେ ବୀମା କ୍ଷତିପୂରଣ ଟଙ୍କା ପଇଠ କରିବାକୁ ଦାବୀ କରିଥିଲେ । ଚାଷୀ ମାନଙ୍କ ପ୍ରଥମ ଦାବୀକୁ ଜିଲ୍ଲା ପ୍ରଶାସନ ସ୍ୱୀକାର କରିବା ସହ ବୀମା କମ୍ପାନୀ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ସାମୟିକ ଭାବରେ ପ୍ରତ୍ୟାହୃତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କୃଷ୍ଣ ନାୟକ, ସୁଦାଂଶୁ ଦାସ, କ୍ଷମାନିଧି ଦଳ ପତି, ରମେଶ ବେହେରା, ଫକୀର ବେହେରା, ନିତ୍ୟାନନ୍ଦ ବେହେରା, କନ୍ଦର୍ପ ଦନ୍ତା, ଇନ୍ଦ୍ରମଣି ସାହୁ, ପୁର୍ଣଚନ୍ଦ୍ର ସାହୁ, ସମେତ ହଜାର ହଜାର ଚାଷୀ ଉପସ୍ଥିତ ଥିଲେ ।

Govt

Comments are closed.