ଭୁବନେଶ୍ୱର: ପୁରୀ ଜିଲ୍ଲା ଗୋପ ବ୍ଲକ୍ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତୁ୍ୟ ଘଟଣା ଉପରେ ଶେଷରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଗଣଶିକ୍ଷ୍ୟା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଧର୍ମେନ୍ଦ୍ରଙ୍କ ମୃତୁ୍ୟରେ ଗଣଶିକ୍ଷା ମନ୍ତ୍ରୀଙ୍କ ହାତ ଥିବା ନେଇ ବହୁ ଅଭିଯୋଗ ପରେ ସେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ମୃତୁ୍ୟକୁ ନେଇ ମୁଁ ଦୁଃଖିତ, ଖୁବ୍ ମର୍ମାହତ, ବିବାଦ କଣ ଜାଣିନି, ପରିବାର ପକ୍ଷରୁ ତ’ କିଛି ଆସିନି । ବିରୋଧୀ ଦଳଙ୍କ କଥାର ଉତ୍ତର ଦେବା ଉଚିତ ମନେ କରୁନି ।
ଅନ୍ୟପକ୍ଷରେ, ଧର୍ମେନ୍ଦ୍ରଙ୍କ ମୃତୁ୍ୟରେ ଗଣଶିକ୍ଷା ମନ୍ତ୍ରୀଙ୍କ ହାତ ଥିବା ନେଇ ବିଜେପି ନେତ୍ରୀ ପ୍ରଭାତି ପରିଡ଼ା ସିଧାସଳଖ ଆଭିଯୋଗ କରିଛନ୍ତି । ଏହାସହିତ ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଓ ଗୋପ ଥାନା ଅନ୍ତର୍ଗତ ବନ୍ତଳ ଗ୍ରାମର ରାଜକିଶୋର ନାୟକ ଗଣଶିକ୍ଷା ମନ୍ତ୍ରୀଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।

ରାଜକିଶୋର ଅଭିଯୋଗରେ ଦର୍ଶାଇଛନ୍ତି, ଗଣଶିକ୍ଷା ମନ୍ତ୍ରୀ ଗତ ପଞ୍ଚାୟତ ନିର୍ବାଚନରେ ଧର୍ମେନ୍ଦ୍ରଙ୍କୁ ଜିଲ୍ଲା ପରିଷଦ ଟିକେଟ୍ ଦେଇଥିଲେ । ଗଣଶିକ୍ଷା ମନ୍ତ୍ରୀ ସମୀରଙ୍କ ସହ ଧର୍ମେନ୍ଦ୍ରଙ୍କ ବହୁ ଘନିଷ୍ଠତା ରହିଛି । ଯେଉଁଥିପାଇଁ ତାଙ୍କୁ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଓ ପ୍ରଭାରୀ ପଦବିରେ ବି ରଖାଯାଇଥିଲା । ଅନେକ ଦଳୀୟ ବୈଠକ ଓ ସାମାଜିକ କାର୍ଯ୍ୟକ୍ରମରେ ଦୁହିଁଙ୍କ ଫଟୋ ଦେଖିଲେ, ଘନିଷ୍ଠତା ସ୍ପଷ୍ଟ ବାରି ହୋଇପଡ଼ୁଛି । ଧର୍ମେନ୍ଦ୍ର ସୋସିଆଲ୍ ମିଡିଆରେ ଯେଉଁ ଭିଡିଓ ଛାଡ଼ିଛନ୍ତି, ସେଥିରେ ସେ ରାଜନୈତିକ ପ୍ରସଙ୍ଗ ଉଠାଇଛନ୍ତି । ରାଜନୀତି ତାଙ୍କ ପାରିବାରିକ କଳହର ମୁଖ୍ୟ କାରଣ ବୋଲି ଭିଡିଓରେ କହିଛନ୍ତି । ଏ ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଭୂମିକା ସନ୍ଦେହଜନକ ଲାଗୁଛି ।

ସେହିପରି ଗୋପ ବଜାରରେ ଆଜି ଧର୍ମେନ୍ଦ୍ରଙ୍କ ମୃତୁ୍ୟରେ ଗଣଶିକ୍ଷା ମନ୍ତ୍ରୀଙ୍କ ହାତ ଥିବା ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବିକ୍ଷୋଭରେ ସମୀରଙ୍କ କୁଶପୁତ୍ତଳିକା ଦାହ ହୋଇଛି । ବିଜେପି ଯୁବମୋର୍ଚ୍ଚା ମଧ୍ୟ ଧର୍ମେନ୍ଦ୍ରଙ୍କ ମୃତୁ୍ୟ ଘଟଣା ନେଇ ଏକ ଶୋଭାଯାତ୍ରା କରିଛି ।

Comments are closed.