ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଚାଲିଥିବା ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସୋମବାର ପଟିଆଲା ହାଉସ କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି I ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଖଲ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅଭିଯୁକ୍ତ କରାଯାଇଥିଲା। ଏହି ଚାର୍ଜସିଟ୍ କୁ ଗ୍ରହଣ କରି ଗତ ଶୁଣାଣିରେ କୋର୍ଟ ଜ୍ୟାକଲିନଙ୍କୁ ସେପ୍ଟେମ୍ବର ୨୬ ରେ ହାଜର ହେବାକୁ ଡକାଇଥିଲେ। ୫୦, ୦୦୦ ଟଙ୍କାର ମୁଚାଲିକା (ବଣ୍ଡ୍) ବିନିମୟରେ ଦିଲ୍ଲୀର ପାଟିଆଲା ହାଉସ୍ ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇଛନ୍ତି। ଜ୍ୟାକଲିନଙ୍କୁ ଚାର୍ଜସିଟର ଏକ କପି ମଧ୍ୟ ପ୍ରଦାନ କରାଯାଇଛି I ଏହାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୨ ରେ ହେବ ।
ଏହି ମାମଲାରେ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ ହେବାରୁ ଜେରା ନିମନ୍ତେ ପୂର୍ବରୁ ମଧ୍ୟ ଦିଲ୍ଲୀ ପୁଲିସ ଜାକ୍ଲିନ୍ଙ୍କ ନିକଟକୁ ୨ ଥର ସମନ୍ ପଠାଇଥିଲା। ସୁକେଶ ତିହାର ଜେଲ୍ରେ ଥିବା ବେଳେ ଜାକ୍ଲିନ୍ ତାଙ୍କଠାରୁ ୫ କୋଟି ୭୫ ଲକ୍ଷ ଟଙ୍କା ମୂଲ୍ୟର ଗିଫ୍ଟ ନେଇଥିଲେ I ଜ୍ୟାକଲିନ ଙ୍କୁ ଗିଫ୍ଟ ପହଞ୍ଚାଇବାରେ ସୁକେଶ ର ସହଯୋଗୀ ପିଙ୍କି ଇରାନୀ ସହଯୋଗ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାରେ ପିଙ୍କି ଇରାନୀଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି । ଇଡି ଅନୁଯାୟୀ, ଜ୍ୟାକଲିନଙ୍କ ଅଗଷ୍ଟ ୩୦ ଏବଂ ଅକ୍ଟୋବର ୨୦ , ୨୦୨୧ ମଧ୍ୟରେ ସୁକେଶ ଏବଂ ତାଙ୍କ ପତ୍ନୀ ଲୀନାଙ୍କଠାରୁ ଉପହାର ଗ୍ରହଣ କରିଥିବା ସ୍ୱୀକାର କରିଛନ୍ତି। ଏହି କାରଣରୁ, ଏପ୍ରିଲରେ ଜ୍ୟାକଲିନଙ୍କ ନିକଟରୁ ୭ କୋଟି ୧୨ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଇଡି ସୂତ୍ର ଅନୁଯାୟୀ, ଅନୁସନ୍ଧାନରୁ ଜଣାପଡିଛି ଯେ ସୁକେଶ ଚନ୍ଦ୍ରଶେଖର ଗତ ବର୍ଷ ଫେବୃଆରୀରୁ ଅଗଷ୍ଟରେ ଗିରଫ ହେବା ପର୍ଯ୍ୟନ୍ତ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ।
ଅନ୍ୟପଟେ ୨୧୫ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନଙ୍କୁ ଆରୋପୀ ସଜାଇ ଦେଇଛି ଇଡି । ଏ ଘଟଣାରେ ଜ୍ୟାକଲିନଙ୍କ ବିରୋଧରେ ଚାର୍ଜସିଟ ମଧ୍ୟ ଦାଖଲ ହୋଇଥିଲା Iଉପରୋକ୍ତ ମାମଲାରେ ଗତ ସପ୍ତାହରେ ଜାକ୍ଲିନ୍ଙ୍କ ଷ୍ଟାଇଲିଷ୍ଟ୍ ଲିପାକ୍ଷି ଏଲାୱାଡ଼ିଙ୍କୁ ମଧ୍ୟ ଦିଲ୍ଲୀ ପୁଲିସର ‘ଅର୍ଥନୈତିକ ଅପରାଧ ଶାଖା’ ପ୍ରାୟ ୮ ଘଣ୍ଟା ଜେରା କରିଥିଲା।
ସୁକେଶ ଚନ୍ଦ୍ରଶେଖର ଗିରଫ ହୋଇଥିବା ଖବର ପ୍ରସାରଣ ହେବାକ୍ଷଣି ଜାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ ତାଙ୍କଠାରୁ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଥିଲେ ବୋଲି ଏଲାୱାଡ଼ି କହିଥିବା କଥା ପୁଲିସ କହିଛି।

Comments are closed.