ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ଭାଲୁବୁଟ୍ରା ଗ୍ରାମରେ ଝାଡା ବାନ୍ତିର ପ୍ରକୋପ ଦେଖା ଦେଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ପରିବାର ଲୋକ ଆକ୍ରାନ୍ତ ମାନଙ୍କୁ କଲମପୁର ଗୋଷ୍ଠୀ ସ୍୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁସାରେ ଭାଲୁବୁଟ୍ରା ଗ୍ରାମର ସୁରେଖା ଶବର, ଦେବେନ୍ଦ୍ର ଶବର, ସେବତୀ ଶବର, ଦୟା ଶବର, ବିଦୁ୍ୟତ ଶବର, ଭବେନ୍ଦ୍ର ମାଝୀ, ହରି ମାଝୀ, ତପସ୍ୱିନୀ ମାଝୀ ଓ ଯଶୋବନ୍ତ ବାଗ ପ୍ରମୁଖ ୯ ଜଣ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେଇଥିଲେ । ସେମାନଙ୍କୁ ପରିବାର ଲୋକ ବିଳମ୍ବିତ ରାତିରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ବର୍ତମାନ ସେମାନଙ୍କୁ ସଂକ୍ରମଣ ବିଭାଗରେ ରଖାଯାଇ ଚିକିତ୍ସା କରାଯାଉଛି । ପୁଣି ଦୁଇ ଜଣ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । କେଉଁ କାରଣରୁ ଏମାନେ ଝାଡା ବାନ୍ତି ରୋଗରେ ସଂକ୍ରମିତ ହେଲେ ସେ ନେଇ ସ୍ପଷ୍ଟ ହୋଇନାହିଁ ।
ଅନ୍ୟପଟେ ଏକ ମଇଳା ନାଳି ନିକଟରେ ନଳକୂଅ ଥିବାରୁ ନାଳିର ଦୂଷିତ ପାଣି ପଶିଯାଇ ଥିବା ସନ୍ଦେହ କରାଯାଉଛି । ତୁରନ୍ତ ଏନେଇ ବ୍ଲକ ପ୍ରଶାସନ ସୁଚନା ପାଇବା ପରେ ଘଟଣା ସ୍ଥଳକୁ ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ବିଭାଗ କର୍ମଚାରୀ ଝାଡା ବାନ୍ତି ରୋଗ ପ୍ରଭାବିତ ଗାଁରେ ପହଞ୍ଚି ନଳକୂଅର ଅବସ୍ଥା ଦେଖିବା ସହ ସେହି ନଳ ପାଣିକୁ ବ୍ୟବହାର ନକରିବା ପାଇଁ ଗ୍ରାବାସୀଙ୍କୁ ଅନୁରୋଧ କରିଥିଲେ । ଏହାସହ ଡାକ୍ତର ଅମୁଲ୍ୟ କୁମାର ବେହେରାଙ୍କ ନତୃତ୍ୱରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଦଳ ଗାଁ ରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ମଧ୍ୟରେ ଝାଡା ବାନ୍ତି ରୋଗ ନିରାକରଣ ନେଇ ସଚେତନ କରାଇଥିଲେ । ଏନେଇ କଲମପୁର ଗସ୍ଥରେ ଆସିଥିବା ବିଧାୟକ ମୌଷଧି ବାଗ ସୁଚନା ପାଇବା ପରେ ତୁରନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଡାକ୍ତର ଓ ରୋଗୀ ମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ ।
Comments are closed.