ଚଣ୍ଡୀଗଡ଼: ପଞ୍ଜାବର ଆମ୍ ଆଦମୀ ପାର୍ଟି(ଆପ୍) ସରକାର ସେପ୍ଟେମ୍ବର ୨୨ରେ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଇ ଆସ୍ଥା ଭୋଟ୍ କରିବାକୁ ଚାହୁଁଥିଲେ । ପଞ୍ଜାବରେ ଆପ୍ ସରକାରକୁ ହଟାଇବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ କରି ଆପ୍ ଆସ୍ଥା ଭୋଟ କରିବ ବୋଲି ଘୋଷଣା କରିଥିଲା । ହେଲେ ବର୍ତ୍ତମାନ ରାଜ୍ୟପାଳ ସ୍ୱ୍ୱତନ୍ତ୍ର ଅଧିବେଶନକୁ ବାତିଲ କରିଦେଇଥିବା ଜଣାପଡ଼ିଛି । ରାଜ୍ୟପାଳ ବନୱାରିଲାଲ ପୁରୋହିତ କହିଛନ୍ତି ଯେ, ଏଭଳି ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ବିଧାନସଭାର ନିୟମରେ ନାହିଁ ।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଥିଲା ଯେ ରାଜ୍ୟରେ ଭଗୱନ୍ତ ମାନ ନେତୃତ୍ୱାଧୀନ ସରକାରକୁ ହଟାଇବାକୁ ବିଜେପି ଚେଷ୍ଟା କରୁଛି । କେବଳ ଏତିକି ନୁହେଁ ୧୦ଜଣ ବିଧାୟକଙ୍କୁ ୨୦-୨୫କୋଟି ଟଙ୍କା ଦେବାକୁ ଅଫର ଦେଇଛି । ଗଣମାଧ୍ୟମକୁ ସମ୍ବୋଧିତ କରି ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଚୀମା ଅଭିଯୋଗ କରିଥିଲେ ଯେ, ରାଜ୍ୟରେ ‘ଅପରେସନ୍ ଲୋଟସ୍’ ଆରମ୍ଭ କରିବା ସହ ବିଜେପି କିଛି ଆପ୍ ବିଧାୟକଙ୍କୁ ଯୋଗାଯୋଗ କରିଛି । ବରିଷ୍ଠ ଆପ୍ ନେତା ଦାବି କରିଥିଲେ ଯେ ୭ରୁ ୧୦ଜଣ ଆପ୍ ବିଧାୟକଙ୍କୁ ଟଙ୍କା ଏବଂ ମନ୍ତ୍ରୀ ପଦର ଲୋଭ ଦିଆଯାଇ ଯୋଗାଯୋଗ କରାଯାଇଛି । କିଛି ବିଜେପି କର୍ମୀ ଟେଲିଫୋନ୍ ଯୋଗେ ଆମ ବିଧାୟକଙ୍କୁ ଯୋଗାଯୋଗ କରୁଛନ୍ତି । ଦିଲ୍ଲୀର ବଡ ନେତାଙ୍କ ସହ ତାଙ୍କର ସାକ୍ଷାତ ପାଇଁ ବ୍ୟବସ୍ଥା କରାଯିବ ଏବଂ ତାଙ୍କୁ ୨୫କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇ ଦଳ ସହ ବିଶ୍ୱାସଘାତକତା କରିବାକୁ କୁହାଯାଉଛି ।

Comments are closed.