ମିଆଁମାର : ମିଆଁମାରର ଏକ ସ୍କୁଲରେ ସେନାବାହିନୀ ପକ୍ଷରୁ ଏୟାର ଆଟାକ କରାଯାଇଛି । ସ୍କୁଲରେ ପାଠ ପଢା ଚାଲିଥିବା ବେଳେ ସେନା ହେଲିକପ୍ଟର ଏହି ବିସ୍ଫୋରଣ କରିଛି । ଫଳରେ ୭ ଜଣ ସ୍କୁଲ ପିଲାଙ୍କ ସହିତ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ଏହା ସହିତ ୨୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ମିଆଁମାରର କେନ୍ଦ୍ରୀୟ ସାଗେଙ୍ଗ ଅଞ୍ଚଳରେ ଥିବା ଏକ ସ୍କୁଲରେ ସେନା ଆକ୍ରମଣ କରିଛି ।
ଶୁକ୍ରବାର ଦିନ ଏହି ଆକ୍ରମଣ ଦେଶ ର ସବୁଠାରୁ ଦ୍ଵିତୀୟ ବଡ଼ ସହର ମଣ୍ଡେଲା ଠାରୁ ୧୧୦ କିଲୋମିଟର ଦୂରରେ ଥିବା ଏକ ସ୍କୁଲ ଉପରେ କରାଯାଇଛି I ଏହାପରେ ସେନା ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ସ୍କୁଲ ଭିତରେ ବିଦ୍ରୋହୀ ଗୋଷ୍ଠୀ ଲୁଚି ରହିଥିଲେ । ପ୍ରଥମେ ବିଦ୍ରୋହୀ ମାନେ ସେନା ଉପରେ ଆକ୍ରମଣ କରିଥିଲେ । ସେନା ମଧ୍ୟ ପାଲଟା ଆକ୍ରମଣ କରିଥିଲା ବୋଲି ମିଆଁମାର ସେନା ଅଧିକାରୀ ସୂଚନା ଦେଇଛନ୍ତି । ପ୍ରାୟ ଘଣ୍ଟାଏ କାଳ ସେହି ଗାଁରେ ବିଦ୍ରୋହୀ ଏବଂ ସେନା ମଧ୍ୟରେ ଗୁଳିବିନିମୟ ହୋଇଥିଲା ।
ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଖୁବ ଚେଷ୍ଟା କରିଥିଲେ । କିନ୍ତୁ ଏତିକି ବେଳେ ସେନାର ୪ଟି ଏମଆଇ-୩୫ ହେଲିକପ୍ଟର ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ସ୍କୁଲ ଉପରେ ମେସିନ୍ ଗନ୍ ମାଧ୍ୟମରେ ଆକ୍ରମଣ କରାଯାଇଥିଲା । ଛାତ୍ରଛାତ୍ରୀମାନେ ସୁରକ୍ଷିତ ସ୍ଥାନକୁ ଯାଉଥିବା ବେଳେ ହିଁ ଗୁଳି ବାଜିଥିଲା । ସେହି ସ୍କୁଲ ମଧ୍ୟରେ ହିଁ ୭ ଛାତ୍ରଛାତ୍ରୀଙ୍କ ସମେତ ୧୩ ଜଣଙ୍କ ଜୀବନ ଚାଲିଯାଇଥିଲା । ପ୍ରାୟ ୩୦ ଜଣ ଶିଶୁଙ୍କ ଶରୀରରେ ଗୁଳି ବାଜିଥିଲା । କାହାର ପିଠିରେ ତ, କାହାର ବେକରେ ଆଉ କାହାର ଗୋଡ-ହାତରେ ବାଜିଛି ଗୁଳି ।
ସୂଚନାଯୋଗ୍ୟ, ଯେବେଠାରୁ ମିଆଁମାରରେ ସତ୍ତା ପରିବର୍ତ୍ତନ ହୋଇଛି ସେବେଠାରୁ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଆକ୍ରମଣ ହେଉଛି । ବିଶେଷ କରି ସେନା ଆକ୍ରମଣରେ ସାଧାରଣ ଲୋକଙ୍କର ହିଁ ଜୀବନ ଯାଉଛି । ରିପୋର୍ଟ ଅନୁଯାୟୀ, ବର୍ଷକ ମଧ୍ୟରେ ୨ହଜାରରୁ ଉର୍ଦ୍ଧ୍ବ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇସାରିଲାଣି । ସେହିଭଳି ୧୨ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସେନା ନିଜ ହେପାଜତକୁ ନେଇଛି ।

Comments are closed.