କର୍ଣ୍ଣାଟକ ହାଉସ୍‌ରେ ଧର୍ମାନ୍ତରୀକରଣ ନିରୋଧ ବିଲ୍‌

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନ ପରିଷଦରେ ଧର୍ମାନ୍ତରୀକରଣ ନିରୋଧ ବିଲ୍‌ ଆଗତ ହୋଇଛି । ରାଜ୍ୟ ଆଇନ ମନ୍ତ୍ରୀ ଜେସି ମଧୁସ୍ୱାମୀ ଏହାକୁ ଆଗତ କରିଛନ୍ତି । ପୂର୍ବରୁ ଏହା ରାଜ୍ୟ ବିଧାନସଭାରେ ଆଗତ ହୋଇଥିଲା । ଏହାକୁ ଆଗତ କରି ମନ୍ତ୍ରୀ ମଧୁସ୍ୱାମୀ କହିଛନ୍ତି ଯେ, ଆମେ ଆମ ଧର୍ମକୁ ରକ୍ଷା କରୁଛି । ବଳପୂର୍ବକ ଧର୍ମାନ୍ତରୀକରଣ ବିରୋଧରେ ଏହି ବିଲ୍‌ ଅଣାଯାଇଛି । ଏହା କାହାର ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରୁନାହିଁ ।

ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ପକ୍ଷରୁ ବିଧାନ ପରିଷଦରେ ଏହାକୁ ବିରୋଧ କରାଯାଇପାରେ । ତେବେ ବିଧାନପରିଷଦରେ ବିଜେପିର ସଂଖ୍ୟା ଗରିଷ୍ଠତା ଥିବାରୁ ବିଲଟି ଗୃହୀତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ବିଲ୍‌ ଆଇନରେ ପରିଣତ ହେଲେ ଏହା କାହାର ଧର୍ମଗ୍ରହଣର ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରିବ ନାହିଁ । କେବଳ ବଳପୂର୍ବକ ଧର୍ମାନ୍ତରୀକରଣକୁ ବନ୍ଦ କରିବାରେ ସହାୟକ ହେବ ବୋଲି ରାଜ୍ୟ ସରକାର କହିଛନ୍ତି ।

ତେବେ ରାଜ୍ୟର ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକମାନେ ଏହାକୁ ବିରୋଧ କରିଆସୁଛନ୍ତି । କିଛି ମାସ ତଳେ ବାଙ୍ଗାଲୁରୁର ଆର୍କବିଶପ୍‌ ପିଟର ମାକାଡୋ କହିଥିଲେ ଯେ, ଏହି ବିଲକୁ ନେଇ ଖ୍ରୀଷ୍ଟିଆନ ସଂପ୍ରଦାୟ ଚିନ୍ତାରେ ଅଛନ୍ତି । ଏହି ଆଇନର ଦ୍ୱାହି ଦେଇ ଅସାମାଜିକ ଗୋଷ୍ଠୀ ରାଜ୍ୟରେ ସାଂପ୍ରଦାୟିକ ସଦ୍ଭାବ ବିଗାଡ଼ିବାର ସମ୍ଭାବନା ରହିଛି । ଏହା ଧର୍ମଗ୍ରହଣ କରିବାର ସାମ୍ବିଧାନିକ ଅଧିକାର ହନନ କରୁଛି ।

Govt

Comments are closed.