ମୁମ୍ବାଇ: ଗ୍ରାହକଙ୍କଠାରୁ ଋଣ ଅର୍ଥ ଅସୁଲ ବେଳେ ବଳପ୍ରୟୋଗ କରାଯାଉଥିବାର ଅଭିଯୋଗ ବାରମ୍ବାର ଆସୁଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛି । କୌଣସି ପରିସ୍ଥିତିରେ ଗ୍ରାହକଙ୍କୁ ହଇରାଣ ହରକତ ଓ ନିର୍ଯାତନା ନଦେବା ଲାଗି ସବୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ କୁହାଯାଇଛି । ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ ଅଧୀନରେ ଥିବା ସବୁ ସଂସ୍ଥା ପାଇଁ ଏହି ନିୟମ ଲାଗୁ ହୋଇଛି । କୌଣସି ସଂସ୍ଥା ଏହି ନିୟମ ଉଲ୍ଲଂଘନ କରିଥିବା ଧରାପଡ଼ିଲେ ତାହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ –
* ଋଣ ଅସୁଲ ପ୍ରକ୍ରିୟାରେ କୌଣସି ସଂସ୍ଥା ଗ୍ରାହକଙ୍କ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କୁ ହଇରାଣ କରିପାରିବେ ନାହିଁ ।
* ଗ୍ରାହକଙ୍କ ଗୋପନୀୟତା ସୀମା ଉଲ୍ଲଂଘନ କରିବେ ନାହିଁ ।
* ଏଜେଣ୍ଟମାନେ ମୋବାଇଲ୍ କିମ୍ବା ସୋସିଆଲ ମିଡିଆରେ କୌଣସି ଅନୁପଯୁକ୍ତ ବାର୍ତ୍ତା ପଠାଇପାରିବେ ନାହିଁ ।
* ଗ୍ରାହକଙ୍କୁ ଧମକାଇବା ଭଳି କୌଣସି କଲ୍ କିମ୍ବା ଅଜଣା କଲ୍ କରିପାରିବେ ନାହିଁ ।
* ଋଣ ରାଶି ଫେରସ୍ତ ମାଗିବା ଲାଗି ଗ୍ରାହକମାନଙ୍କୁ ସକାଳ ୮ଟା ପୂର୍ବରୁ କିମ୍ବା ରାତି ୭ଟା ପରେ କଲ୍ କରିବାକୁ ବାରଣ କରାଯାଇଛି ।
ମୋବାଇଲ୍ ଆପ୍ ଜରିଆରେ ଡିଜିଟାଲ୍ ଋଣ ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ଋଣ ରାଶି ଅସୁଲ କରିବା ଲାଗି ବହୁ ବେଆଇନ ପଦକ୍ଷେପ ନେଉଥିବା ଘଟଣା ବାରମ୍ବାର ଘଟିବା ପରେ ତାହାକୁ ରିଜର୍ଭ ବ୍ୟାଙ୍କ ଗମ୍ଭୀରତାର ସହ ନେଇଛି । ଡିଜିଟାଲ୍ ଋଣ ପ୍ରଦାନ କରୁଥିବା ସଂସ୍ଥା ପାଇଁ ସ୍ୱତନ୍ତ୍ର ଆଇନ ପ୍ରସ୍ତୁତ କରାଯାଇଛି ।
ବିଶେଷ କରି ଚୀନରେ ଡିଜିଟାଲ୍ ଋଣ ଆପଗୁଡ଼ିକ ଉପରେ ଲଗାମ କଷିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଡିଜିଟାଲ୍ ଋଣ ଜାରି କରୁଥିବା ସଂସ୍ଥା ପାଇଁ ଗ୍ରାହକଙ୍କ ଫୋନରେ ତଥ୍ୟ ରଖିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ କେବଳ ଋଣ ପ୍ରକ୍ରିୟାକରଣ ଲାଗି ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି । ଋଣ ପ୍ରଦାନ ସହ ଜଡ଼ିତ ସବୁ ବ୍ୟୟର ବିବରଣୀ ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି । ବ୍ୟୁରୋକୁ ସବୁ ଋଣର ସୂଚନା ଦେବା ବାଧ୍ୟତାମୂଳକ କରାଯାଇଛି । ସବୁ ନେଣଦେଣ ନିୟନ୍ତ୍ରିତ ସଂସ୍ଥା ଓ ଗ୍ରାହକଙ୍କ ମଧ୍ୟରେ ସିଧାସଳଖ କରିବାକୁ କୁହାଯାଇଛି । ତୃତୀୟ ପକ୍ଷର ପ୍ରବେଶକୁ ବାରଣ କରାଯାଇଛି ।

Comments are closed.