ବୌଦ୍ଧ : ବୌଦ୍ଧ ଜିଲ୍ଲା ମହାନଦୀ କୂଳରେ ଅବସ୍ଥିତ ହୋଇଥିବା ବେଳେ ଜିଲ୍ଲା ଦେଇ ମହାନଦୀ ପ୍ରାୟ ୧୧୦ କିଲୋମିଟର ବୋହି ଯାଇଛି । ତାଛଡା ଜିଲ୍ଲା ମଧ୍ୟରେ ତେଲନଦୀ, ବାଘନଦୀ ଓ ସାଲୁଙ୍କି ଆଦି ନଦୀ ପ୍ରବାହିତ ହେଉଛି । ବର୍ଷା ଦିନହେଲେ ନଦୀ କୂଳିଆ ଗ୍ରାମବାସୀ ଚିନ୍ତାରେ ପଡିଯାଆନ୍ତି । ପ୍ରାୟ ପ୍ରତିବର୍ଷ ମହାନଦୀରେ ବନ୍ୟାପାଣି ଆସି କୂଳ ଲଙ୍ଘି ଗ୍ରାମ ମଧ୍ୟକୁ ପ୍ରବେଶ କରି ବ୍ୟାପକ ଫସଲ ଓ ସମ୍ପତି ନଷ୍ଟ କରିଥାଏ । ଏହାଛଡା ପ୍ରତି ବର୍ଷ ବନ୍ୟାଜଳ ଯୋଗୁଁ ନଦୀକୂଳ ଖାଇଯାଉଛି । ସେପଟେ ବନ୍ୟା ପାଣି କୂଳଖାଇ ଯାଉଥିବା ଯୋଗୁଁ ବହୁ ଗ୍ରାମକୁ ବିପଦ ସୃଷ୍ଟି କଲାଣି । ବନ୍ୟାଦାଉରୁ ଓ ନଦୀ କୂଳକୁ ସୁରକ୍ଷା ଦୃଷ୍ଟିରୁ ନଦୀକୂଳରେ ସୁରକ୍ଷା ପାଚେରୀ ଆବଶ୍ୟକତା ରହିଛି ।
ନଚେତ ପ୍ରତିବର୍ଷ ବନ୍ୟାପାଣି ଆସି ଲୋକଙ୍କ ଧନସଂପତି ନଷ୍ଟ ହେବା ସହିତ ଅନେକ ଗ୍ରାମ ଭବିଶ୍ୟତରେ ନଦୀଗର୍ଭରେ ଲୀନ ହୋଇଯିବାର ସମ୍ଭାବନା ରହିଛି । ବୈାଦ୍ଧଗଡଜାତ ସମୟରେ ମହାନଦୀକୁଳରେ ଶତାଧିକ ଗ୍ରାମ ଗଢିଉଟିଥିବା ବେଳେ ବର୍ତ୍ତମାନ ଏହି ଗ୍ରାମଗୁଡିକୁ ପାଇଁ ମହାନଦୀ ବିପଦ ସୃଷ୍ଟି କରିଛି । ମହାନଦୀର କୂଳରେ ଗ୍ରାମଗୁଡିକ ଗଢି ଉଠିଥିବାରୁ ପ୍ରତିବର୍ଷ ବର୍ଷାଦିନ ହେଲେ ମହାନଦୀରେ ବନ୍ୟା ପାଣି ଆସି କୂଳ ଲଙ୍ଘି ଗ୍ରାମ ମଧ୍ୟକୁ ପାଣି ମାଡି ବ୍ୟାପକ କ୍ଷୟକ୍ଷତି କରୁଛି । ଆସ୍ତେ ଆସ୍ତେ କୂଳ ଖାଇ ନଦୀ ଗ୍ରାମ ଆଡକୁ ମାଡି ଆସିଲାଣି । ଯାହାକୁ ନେଇ ନଦୀକୂଳିଆ ଗ୍ରାମବାସୀ ଚିନ୍ତାରେ ପଡିଯାଇଛନ୍ତି । ଯଦି ଏବେଠୁ ଏହାର ସମାଧାନ କରାନଯାଏ ତାହାହେଲେ ଏହି ନଦୀକୂଳିଆ ଗ୍ରାମ ଗୁଡିକ ଭବିଶ୍ୟତରେ ମହାନଦୀରେ ଲିନ ହେବାର ସମ୍ଭାବନା ରହିଛି । ଏପରିକି ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାନଦୀ କୂଳଖାଇବା ଫଳରେ ସେହି ସବୁ ସ୍ଥାନ ଗୁଡିକ ନଦୀ ଉସାରିଆ ହେବାରେ ଲାଗି ବିପଦ ସୃଷ୍ଟି କରୁଛି । ଜିଲ୍ଲାର କଣ୍ଟାମାଳ ବ୍ଲକର ମନମୁଣ୍ଡା ଠାରୁ ହରଭଙ୍ଗା ବ୍ଲକର ମାରଡା ପର୍ଯ୍ୟନ୍ତ ପ୍ରାୟ ୧୧୦ କିଲୋ ମିଟର ମହାନଦୀ ଜିଲ୍ଲାରେ ବୋହି ଯାଇଛି । ବିଭିନ୍ନ ସ୍ଥାନରେ ପଥର ବନ୍ଧ ରହିଥିଲେ ମଧ୍ୟ ତାହା ଭାଙ୍ଗି ଗଲାଣି । ନଦୀ,ନାଳର କୁଳ ଖାଇବା ରୋକିବା ଓ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସରକାର ବିଭିନ୍ନ ଯୋଜାନରେ ବହୁ ପ୍ରକଳ୍ପ ହାତକୁ ନେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହାର ସ୍ଥାୟୀ ପ୍ରତିକାର ପାଇଁ ସରକାର କୌଣସି ପଦକ୍ଷେପ ନେଉନଥିବାବେଳେ କାଁ ଭାଁ ଜିଲ୍ଲାରେ କିଛି ସ୍ଥାନରେ ମହାନଦୀ କୂଳରେ ପଥର ବନ୍ଧା ,ପ୍ରୋଟେକସନ ୱାଲ ନିର୍ମାଣ କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ମଚାରୀ ଙ୍କ ଅବହେଳା ଯୋଗୁଁ ନିମ୍ନ ମାନର କାମ କରାଯାଉ ଥିବାର ଅଭିଯୋଗ ହେଉଛି ।
ଯାହାଫଳରେ ଶିଘ୍ର ଭଙ୍ଗି ଯାଇ ପୁର୍ବ ଅବସ୍ଥାକୁ ଫେରି ଆସୁଥିବାର ଅଭିଯୋଗ ହେଉଛି । ଜିଲ୍ଲାର ବୈାଦ୍ଧବ୍ଲକର ସାହୁପଡା, ମହେଶ୍ୱରପିଣ୍ଡା, ବାଉଁଶୁଣୀ, ତେ;ୁଳିପାଲି, କମ୍ପଲା, କମ୍ପରା,ସାପଦୋହଲି,ଜଗନ୍ନାଥପୁର, ମର୍ଜାଦିପୁରର ଗିଙ୍ଗିରାସାହି ଆଦି ଗ୍ରାମ ଗୁଡିକ ମହାନଦୀ କୂଳରେ ରହିଥିବା ବେଳେ ହରଭଙ୍ଗା ବ୍ଲକର ମାରଡା, କୁତୁରି, ଅତଲସରା, କୁମାରୀ, କୁଡାସିଙ୍ଗା, ହରଭଙ୍ଗା, ବୁଲୁରା, ପାଣିଘରା, ଖରସଙ୍କୁଲେଇ, ସାକୁସିଙ୍ଗା,ଖଣ୍ଡିଧଳପୁର,ଉଆଁଲ, କଙ୍କଲା, ପଲସପାଟ, ପରଗଲପୁର ର ଝରାସାହି, ହାଟଗାଁ, ମଙ୍ଗଲପୁର, କରଡି,କୃଷ୍ଣମୋହନପୁର ଆଦି ଗ୍ରାମ ଗୁଡିକ ନଦୀକୂଳରେ ରହିଛି । ବର୍ଷାଦିନେ ମହାନଦୀରେ ବନ୍ୟା ପାଣି ପ୍ରଭାହିତ ହେଲେ ଏହି ଗ୍ରାମଗୁଡିକୁ ବନ୍ୟାପାଣି କୂଳ ଲଙ୍ଘି ମାଡିଆସିଥାଏ । ଯାହାଫଳରେ ଚାଷ ଜମି ଗୁଡିକରେ ବାଲିଚର ହୋଇ ଧାନ ଗଛ ଗୁଡିକ ନଷ୍ଟ ହୋଇଥାଏ । ସେହିପରି ଘରମାନଙ୍କୁ ପାଣି ପଶିଥାଏ । ଯଦି ମହାନଦୀ କୂଳରେ ଏକ ପ୍ରଟେକସନ ୱାଲ କରାଯାଇ ପାରନ୍ତା ତାହାହେଲେ ବନ୍ୟା ପାଣିରେ କୂଳ ଖାଇବାର ସମସ୍ୟା ଦୂର ହୋଇ ପାରନ୍ତା ଓ ଲୋକଙ୍କ ଧନ ଜୀବନ ସୁରକ୍ଷାରେ ସହାୟକ ହୋଇ ପାରନ୍ତା । ସେପଟେ ତେଲନଦୀ,ସାଲୁଙ୍ଗି ଓ ବାଘନଦୀରେ ମଧ୍ୟ ବନ୍ୟାଜଳ ଆସି କୂଳ ଖାଇ ବନ୍ୟାପାଣି ଗ୍ରାମ ମଧ୍ୟକୁ ପ୍ରବେଶ କରୁଛି । ସରକାର ନଦୀକୂଳ ଗୁଡିକ ଯେପରି ବନ୍ୟା ଦ୍ୱାରା ଧୋଇ ହୋଇ ନ ଯାଏ ଓ ନଦୀକୂଳ ସୁରକ୍ଷିତ ରହିବ ସେଥିପାଇଁ ସବୁଜ ମହାନଦୀ ମିଶନ ମାଧ୍ୟମରେ ନଦୀକୂଳ ମାନଙ୍କରେ ବ୍ୟାପକ ବୃକ୍ଷ ରୋପଣ ପାଇଁ ଯୋଜନା କରିଥିଲେ ମଧ୍ୟ ଜିଲ୍ଲାରେ ବୃକ୍ଷରୋପଣ ନାମରେ ହରିଲୁଟ ହୋଇଥିବା ଅଭିଯୋଗ ହେଉଛି । ଯାହାଫଳରେ ଜିଲ୍ଲାରେ ଏହି ମିଶନ ଫେଲ ମାରିଥିବା ଜଣାପଡିଛି । ଜିଲ୍ଲାବାସୀଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇ ତାହା କାର୍ଯ୍ୟକାରୀ କରିବାକୁ ଦାବିହେଉଛି । ନଚେତ ଆଗାମୀ ଦିନରେ ଜିଲ୍ଲାର ନଦୀକୂଳରେ ଗଢି ଉଠିଥିବା ଜନବସତି ଗୁଡିକ ମହାନଦୀରେ ଯେ ଲୀନ ହୋଇନଯିବ ଏଥିରେ ସନ୍ଦେହନାହିଁ ।
Comments are closed.