ମା କାଳୀଙ୍କ ହାତରେ ସିଗାରେଟ୍‌ ଧରେଇ ବିବାଦରେ ଫିଲ୍ମ ନିର୍ମାତା

ନୂଆଦିଲ୍ଲୀ: ଜୁଲାଇ ୦୫: ନିକଟରେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକାଲାଇଙ୍କ ଡକ୍ୟୁମେଣ୍ଟାରୀ କାଲୀର ପୋଷ୍ଟର୍‌ ରିଲିଜ୍‌ ହୋଇଛି । ଏହି ପୋଷ୍ଟର୍‌ ଦେଖି ହିନ୍ଦୁ ଧର୍ମ ସହ ଜଡିତ ଲୋକଙ୍କ ଭାବନା କ୍ଷତିଗ୍ରସ୍ତ ହୋଇଛି । ଏନେଇ ସୋସିଆଲ୍‌ ମିଡିଆରେ ଦେଖାଦେଇଛି ବିବାଦ । ଏଥିରେ ମା କାଳୀଙ୍କୁ ଅପମାନିତ କରାଯାଇଛି । ଦେବୀଙ୍କୁ ଏକ ଆପତ୍ତିଜନକ ସ୍ଥିତିରେ ଦେଖାଇବା ପାଇଁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଲୀନାଙ୍କୁ ବିଦ୍ରୋହ କରୁଛନ୍ତି । ପୋଲିସ୍‌ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଟ୍ୟାଗ୍‌ କରି ଏହାକୁ ବ୍ୟବହାର କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବାବେଳେ ଅନେକ ଲୋକ ଫିଲ୍ମ ନିର୍ମାତାଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି । ଫିଲ୍ମ ନିର୍ମାତା ଲୀନା ଟ୍ୱିଟରରେ ତାଙ୍କ ଡକ୍ୟୁମେଣ୍ଟାରୀ କାଳୀର ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟର୍‌ ସହିତ ସେ ସୂଚନା ଦେଇଛନ୍ତି ଯେ ସେ ବହୁତ ଉତ୍ସାହିତ ଅଛନ୍ତି କାରଣ ତାଙ୍କ ଡକ୍ୟୁମେଣ୍ଟାରୀର ପୋଷ୍ଟର୍‌ କାନାଡାଚଳଚ୍ଚିତ୍ର ମହୋତ୍ସବ (ରିଥମ୍ସ ଅଫ୍‌ କାନାଡା)ରେ ଲଞ୍ଚ୍‌ କରାଯାଇଛି । ଏହି ପୋଷ୍ଟରରେ ମା କାଳୀ ସିଗାରେଟ୍‌ ଟାଣୁଥିବା ଦେଖାଯିବା ସହିତ ମାଙ୍କ ବେଶଭୁଷାରେ ଗୋଟିଏ ହାତରେ ତ୍ରୀଶୁଳ ଏବଂ ଆଉ ଗୋଟିଏ ହାତରେ ଏକ ସମ୍ପ୍ରଦାୟର ଗର୍ବର ପତାକା ଦେଖାଯାଉଛି । ଏହାକୁ ଦେଖି ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ, ଜଣେ ବ୍ୟବହାରକାରୀ ଅମିତ ଶାହାଙ୍କ ଠାରୁ ନେଇ ପିଏମ୍‌ଓକୁ ଟ୍ୟାଗ୍‌ କରି ଏହି ପୋଷ୍ଟର୍‌ ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେହିପରି ଆଉ ଜଣେ ଏହାକୁ ନିନ୍ଦା କରିବା ସହ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି ।

Comments are closed.