ସମଲିଙ୍ଗୀଙ୍କୁ ଏକାଠି ରହିବାକୁ ଅନୁମତି ଦେଲେ କୋର୍ଟ

କୋଚି: ଜୁନ ୦୧: ପରିବାର ଲୋକଙ୍କ ଦ୍ୱାରା ଅଲଗା ହୋଇ ଯାଇଥିବା ସମଲିଙ୍ଗୀ ଦମ୍ପତିଙ୍କୁ ଏକାଠି ରହିବାକୁ ଅନୁମତି ଦେଇଛନ୍ତି କେରଳ ହାଇକୋର୍ଟ । ଅଦିଲା ନସରିନ ନିଜ ସମଲିଙ୍ଗୀ ପାର୍ଟନରଙ୍କୁ ପାଇବା ପାଇଁ କରିଥିବା ଆବେଦନର ଶୁଣାଣି କରି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ନସରିନ ତାଙ୍କ ଆବେଦନରେ କହିଥିଲେ ଯେ ସେ ଓ ତାଙ୍କ ପାର୍ଟନର ଫାତିମା ନୋରାଙ୍କୁ ଉଭୟଙ୍କ ପରିବାର ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଚାଲିଛନ୍ତି । ୬ ଦିନ ତଳେ ନୋରାଙ୍କୁ ତାଙ୍କ ସମ୍ପର୍କୀୟମାନେ ଅପହରଣ କରି ନେଇଥିଲେ । ଫତିମା ନୋରା ତାଙ୍କ ସହ ରହିବା ପାଇଁ କେରଳର ଅଲୁଭାକୁ ଆସିଥିଲେ । ହେଲେ ତାଙ୍କୁ ଏଠାରୁ ଅପହରଣ କରାଯାଇଥିଲା ବୋଲି ନସରିନ କହିଥିଲେ । ଅପହରଣ ପରେ ନସରିନ ବିଭିନ୍ନ ସ୍ଥାନରେ ନୋରାଙ୍କୁ ଖୋଜିଥିଲେ । ହେଲେ ତାଙ୍କର ପତ୍ତା ନମିଳିବାରୁ ମଙ୍ଗଳବାର ସକାଳେ ସେ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନୋରାଙ୍କ ନିଖୋଜ ସଂକ୍ରାନ୍ତରେ ଆବେଦନ କରିଥିଲେ । କେରଳ ହାଇକୋର୍ଟ ପିଟିସନଙ୍କୁ ଗ୍ରହଣ କରିବା ସହ ନୋରାଙ୍କୁ ହାଜର କରାଇବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ନସରିନଙ୍କୁ ମଧ୍ୟ ସମାନ ସମୟରେ ଉପସ୍ଥିତ ରହିବାକୁ କୋର୍ଟ ସମନ କରିଥିଲେ । ଉଭୟ କୋର୍ଟରେ ହାଜର ହେବା ପରେ ଜଷ୍ଟିସ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଆବେଦନର ଶୁଣାଣି କରିଥିଲେ । ଦୁଇ ଜଣ ପ୍ରାପ୍ତ ବୟସ୍କଙ୍କୁ ଏକାଠି ରହିବାକୁ କେବେ ହେଲେ ବାରଣ କରାଯାଇ ପାରିବ ନାହିଁ । ତେଣୁ ନସରିନ ଓ ନୋରା ଏକାଠି ରହିବେ ବୋଲି କହିଛନ୍ତି ଜଷ୍ଟିସ ଚନ୍ଦ୍ରନ । ୨୨ ବର୍ଷୀୟ ନସରିନ ଓ ୨୩ ବର୍ଷୀୟ ନୋରା ସେମାନଙ୍କ ସ୍କୁଲ ସମୟରୁ ପରସ୍ପର ସହ ସମ୍ପର୍କ ରଖି ଆସିଛନ୍ତିଛ ଉଭୟ ସାଉଦି ଆରବରେ ପଢୁଥିଲା ବେଳେ ପରସ୍ପରର ସଂସ୍ପର୍ଶରେ ଆସିଥିଲେ । ସେମାନେ ସମଲିଙ୍ଗୀ ହୋଇଥିବାରୁ ଏହାକୁ ପରିବାର ଲୋକ ବିରୋଧ କରିଥିଲେ । ତେବେ ଏହାର ସମାଧାନ କରିବାକୁ ଯାଇ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.