ଦିଲ୍ଲୀ: ମେ ୧୬: ବୁଦ୍ଧ ଜୟନ୍ତୀ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ ଶେର୍ ବାହାଦୁର୍ ଦେଉବାଙ୍କ ନିମନ୍ତ୍ରଣ ରକ୍ଷା କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୁମ୍ବିନୀକୁ ଗ୍ରସ୍ତ କରିଛନ୍ତି । ଏନେଇ ମୋଦି କହିଛନ୍ତି, ନେପାଳ ସହିତ ଆମର ସମ୍ପର୍କ ଅତୁଳନୀୟ । ନେପାଳ ଓ ଭାରତ ମଧ୍ୟରେ ସଭ୍ୟତାଗତ ଓ ବ୍ୟକ୍ତିଗତ ଜନସମ୍ପର୍କ ଆମ ନିବିଡ଼ ସମ୍ପର୍କର ଦୀର୍ଘସ୍ଥାୟୀ ଢାଞ୍ଚା । ଶତାବ୍ଦୀ ଶତାବ୍ଦୀ ଧରି ସୁଦୃଢ଼ ହେବା ସହ ଆମ ପୁରାତନ ଇତିହାସ ସହିତ ସମିଶ୍ରିତ ପାରସ୍ପରିକ ସମ୍ପର୍କକୁ ସ୍ମରଣ ଏବଂ ଅଧିକ ନିବିଡ଼ କରିବା ମୋର ଗସ୍ତର ଉଦ୍ଦେଶ୍ୟ ।
ଏହି ଅବସରରେ, ‘ଲୁମ୍ବିନୀ ମୋନାଷ୍ଟିକ୍ ଜୋନ୍’ରେ ପ୍ରଧାନମନ୍ତ୍ରୀ ମୋଦି ‘ଇଣ୍ଡିଆ ଇଣ୍ଟର୍ନ୍ୟାସ୍ନାଲ ସେଣ୍ଟର୍ ଫର୍ ବୁଦ୍ଧିଷ୍ଟ କଲ୍ଚର୍ ଆଣ୍ଡ୍ ହେରିଟିଜ୍’ର ଶିଳାନ୍ୟାସ କରିବେ । ଏହା ବ୍ୟତିରେକେ, ନେପାଳ ସରକାର ଆୟୋଜନ କରିଥିବା ବୁଦ୍ଧ ଜୟନ୍ତୀ ସମାରୋହରେ ଯୋଗ ଦେଇ ସମବେତ ଜନତାଙ୍କୁ ଉଦ୍ବୋଧନ ଦେବେ ।
ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ନେପାଳର ପ୍ରଧାନମନ୍ତ୍ରୀ ଦେଉବାଙ୍କ ସହିତ ଯାଇ ମାୟାଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ଅଶୋକସ୍ତମ୍ଭ ସମ୍ମୁଖରେ ପ୍ରଧାନମନ୍ତ୍ରୀ ମୋଦି ଘିଅଦୀପ ଜାଳିବେ ଏବଂ ୨୦୧୪ରେ ନେପାଳ ଯାଇଥିବା ବେଳେ ଉପହାର ଦେଇଥିବା ଅଶ୍ୱସ୍ତ ବୃକ୍ଷମୂଳେ ପାଣିଦେବେ । ଏହାସହିତ ସେ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇ ଜଳବିଦୁ୍ୟତ , ବିକାଶ ଓ ଯୋଗାଯୋଗ ସମ୍ପର୍କରେ ନେପାଳର ପ୍ରଧାନମନ୍ତ୍ରୀ ଦେଉବାଙ୍କ ସହିତ ଆଲୋଚନା କରିବେ । ଏହାଛଡ଼ା ସାଂସ୍କୃତିକ ଏବଂ ଶିକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗ ଲାଗି ‘ମେମୋରାଣ୍ଡମ୍ସ୍ ଅଫ୍ ଅଣ୍ଡର୍ଷ୍ଟାଣ୍ଡିଙ୍ଗ୍’ ଆଦାନପ୍ରଦାନ କରିବେ ।

Comments are closed.