ଦିଲ୍ଲୀ: ମଇ ୧୪: ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ମୁଣ୍ଡକା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ ୧୨ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ମୁଣ୍ଡକା ସ୍ଥିତ ଏକ ୪ ମହଲା କମର୍ସିଆଲ୍ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା । ଘଟଣାରେ ୬୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ନିଖୋଜ ଅଛନ୍ତି । ନିଖୋଜ ହୋଇଥିବା ଅଧିକାଂଶ ଲୋକ ଏହି କୋଠାରେ କାମ କରୁଥିଲେ । ଏବେ ବି କୋଠା ଭିତରେ ଫସି ରହିଥିବା ଲୋକଙ୍କ ସନ୍ଧାନ ଜାରି ରହିଛି । ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ଲାଗି ଦିଲ୍ଲୀ ଅଗ୍ନିଶମ ବାହିନୀ ଜୋରଦାର ପ୍ରୟାସ ଜାରି ରଖିଛି । ଏହି ମହଲାରେ ସିସିଟିଭି କ୍ୟାମେରା ଓ ରାଉଟର ର୍ନିମାଣକାରୀ କମ୍ପାନୀ ସାମିଲ ଥିବା କୁହାଯାଉଛି । ତେବେ କମ୍ପାନୀର ମାଲିକ ହରିଶ ଓ ବରୁଣ ଗୋଏଲଙ୍କୁ ପୋଲିସ୍ ଗିରଫ କରିଛି । କୋଠାରେ ଅଗ୍ନି ନିରାପତ୍ତା ସୁରକ୍ଷାକୁ ନେଇ ଅଗ୍ନିଶମ ବିଭାଗ କ୍ଲିଅରାନ୍ସ ଦେଇନଥିବା ଜଣାପଡ଼ିଛି । ତେବେ କୋଠାର ମାଲିକ ମନୀଷ ଲାକ୍ରା ଫେରାର ଥିବାବେଳେ ଭୟଙ୍କର ଅଗ୍ନିକାଣ୍ଡକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Comments are closed.