ତାଣ୍ଡବ ରଚିଛି କାଳବୈଶାଖୀ

ଭୁବନେଶ୍ୱର: ମଇ ୦୬: ରାଜ୍ୟରେ ଆଜି ବି ଜାରି ରହିବ କାଳବୈଶାଖୀର ତାଣ୍ଡବ। ଏହାର ପ୍ରଭାବରେ ୨୨ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସକାଳୁ ସକାଳୁ ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱରରେ ପାଗ ମେଘୁଆ ରହିବା ସହ ବର୍ଷା ମଧ୍ୟ ହୋଇଥିଲା। ଗତକାଲି ମଧ୍ୟ ଘୂର୍ଣ୍ଣିଝଡ଼ ଓ ବର୍ଷା ସାଙ୍ଗକୁ କେଉଁଠି ଡଙ୍ଗା ବୁଡ଼ିଛି, ତ ଆଉ କେଉଁଠି ଟାଓ୍ୱାର ଭାଙ୍ଗିଛି । ଗତକାଲି ଅପରାହ୍ଣରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ଝଡ଼ବର୍ଷା ହେବାରୁ ନୟାଗଡ଼ର ୩ଟି ବ୍ଲକ୍-ନୟାଗଡ଼, ନୂଆଗାଁ ଏବଂ ଓଡ଼ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପବନର ପ୍ରଭାବ ଏତେ ଥିଲା ଯେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘୋର କ୍ଷୟ କ୍ଷତି ଦେଖାଦେଇଛି । ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ବଜ୍ରାଘାତରେ ଶଳା ଭିଣୋଇ ୨ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଗଛ ପଡ଼ି ଜଣେ ମହିଳା ଗୁରୁତର ହୋଇଛନ୍ତି। ନବରରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ର ବେନୋରା ପଞ୍ଚାୟତରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବହୁ ଚାଳଛପର ଘର ନଷ୍ଟ ହୋଇଯାଇଥିବା ବେଳେ କିଛି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା।

Govt

Comments are closed.