ରେଢ଼ାଖୋଲ : ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅଧିନସ୍ଥ ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ସମ୍ବରକୁ ମାରି ମାଂସ ବିକ୍ରି କରିବା ପାଇଁ ଏକ ମୋଟର ସାଇକେଲରେ ଯାଉଥିଲା ବେଳେ ବନବିଭାଗଙ୍କ ହାତରେ ଧରାପଡ଼ିଛନ୍ତି ।
ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜର ବନ୍ତଲେଇ ଗ୍ରାମର ରାଜେଶ ସ୍ୱାଇଁ ଏବଂ ଅଭିମନ୍ୟୁ ଗିରି ଲଣ୍ଡାକୋର୍ଟ ଜଙ୍ଗଲରୁ ସମ୍ବର ମାରି ମାଂସ ବିକ୍ରି କରିବା ପାଇଁ ୧୯ ଜେ ୧୦୮୪ ନମ୍ବର ଥିବା ଏକ ବାଇକରେ ଗ୍ରାମକୁ ଯାଉଥିବା ବେଳେ ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ପରେ ସେମାନଙ୍କୁ ବିଭାଗୀୟ ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିଥିଲା । ଗିରଫ ପରେ ସେମାନଙ୍କ ପାଖରୁ ୨୦ କେଜି ସମ୍ବର ମାଂସ , ଏକ ବାଇକ୍ ଏବଂ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଥିଲା । ଏହି ଚଢଉରେ ଚାରମାଳ ରେଞ୍ଜର ଦର୍ଶନିଆ ଭୋଇ , ଫରେଷ୍ଟର , ପ୍ରବଣ କୁମାର ସାହୁ , ବିଜୟ କୁମାର ବିଶ୍ୱାଳ ସାମିଲ୍ ହୋଇଥିଲେ । ଏହି ଶିକାରୀ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପ୍ରକାଶ କରିଛି । ଜବତ ମାଂସକୁ ମାଟିରେ ପୋତି ଦିଆଯାଇଥିବା ବନ ବିଭାଗ କହିଛି ।
ସୂଚନା ଥାଉଯେ, ଦିନକୁ ଦିନ ରେଢ଼ାଖୋଲ ବନଖଣ୍ଡରେ ଅବାଧରେ ଜନ୍ତୁ ଶିକାର ଚାଲିଛି । ବନବିଭାଗ ଜନ୍ତୁ ଶିକାରୀମାନଙ୍କୁ ଗିରଫ କରିଦେଲା ପରେ କାମ ସାରିଦେଉଛି । ଜାମିନ୍ରେ ଅଭିଯୁକ୍ତ ଆସିଲା ପରେ ନିର୍ଭୟରେ ପୁଣି ଜନ୍ତୁ ଶିକାର କରିବା କାମରେ ଲାଗିପଡୁଥିବା ନଜର ଆସୁଛି । ବନବିଭାଗ , ଥାନା ଆଦିକୁ ସେମାନଙ୍କର ଟିକିଏ ବି ଭୟ ନାହିଁ । ଫଳରେ ଜନ୍ତୁ ଶିକାର କରିବା ନିତ୍ୟନୈମିତିକ ଘଟଣା ହୋଇଗଲାଣି ।

Comments are closed.