ମୁମ୍ବାଇ: ପରଦାରେ ନୁସରତ ଭରୁଚ୍ଚାଙ୍କ କାମ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥାଏ । ଚରିତ୍ରର ଚୟନ କରିବାର କଳା ଏବଂ ଏହାକୁ ନିଖୁଣ ଭାବେ ପରଦାରେ ଉପସ୍ଥାପନ କରିବାର କୌଣସି ସୁଯୋଗକୁ ଅଭିନେତ୍ରୀ ନୁସରତ ହାତଛଡ଼ା କରନ୍ତି ନାହିଁ । ଶେଷ ଥର ପାଇଁ ଫିଲ୍ମ ଛୋରୀରେ ତାଙ୍କ ଅଭିନୟ ବେଶ୍ ପ୍ରଶଂସନୀୟ ଯୋଗ୍ୟ ହୋଇଥିଲା ।

ବର୍ତ୍ତମାନ ନୁସରତ ଆଉ ଏକ ନୂଆ ଫିଲ୍ମ ନେଇ ଆସୁଛନ୍ତି, ଯାହାର ନାମ ‘ଜନହିତ ମେଁ ଜାରି’ ଏବଂ ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଯାଇଛି । ଫିଲ୍ମଟି ୧୦ ଜୁନ ୨୦୨୨ରେ ବଡ଼ ପରଦାରେ ମୁକ୍ତିଲାଭ କରିବ । ନୁସରତ ପ୍ରଶଂସକଙ୍କୁ ଆଚମ୍ବିତ କଲା ପରି ଏକ ଭିନ୍ନ ଅନ୍ଦାଜରେ ଏହି କାହାଣୀରେ ନଜର ଆସିବେ ବୋଲି ଚର୍ଚ୍ଚା କରାଯାଉଛି ।

‘ଜନହିତ ମେଁ ଜାରି’ ଏକ ସୋସିଆଲ କମେଡି ଫିଲ୍ମ ଏବଂ ଅନାଲୋଚିତ ପ୍ରସଙ୍ଗକୁ ନେଇ ଫିଲ୍ମଟି ତିଆରି ହୋଇଛି । ଏହାକୁ ଜୟ ବସନ୍ତୁ ସିଂହ ନିର୍ଦ୍ଦେଶନା ଦେଇଥିବା ବେଳେ ଅନୁଦ ସିଂହ, ଟିନୁ ଆନନ୍ଦ, ବିଜୟ ରାଜ ଏବଂ ପରିତୋଷ ତ୍ରିପାଠୀ ପରି ଶ୍ରେଷ୍ଠ କଳାକାରମାନେ ଅଭିନୟ କରୁଛନ୍ତି । ତେବେ ନୁସରତ ଏକ ଭିଡିଓ ରିଲିଜ୍ କରିଛନ୍ତି ଏବଂ ଏହାର କ୍ୟାପସନରେ ଲେଖିଛନ୍ତି ଯେ ‘ଏକ୍ ୱମନିଆ, ସବ୍ ପେ ଭାରୀ, ୟେ ସୂଚନା ହୈ ଜନହିତ ମେଁ ଜାରି !’ ଅର୍ଥାତ୍ ‘ଜଣେ ମହିଳା ସମସ୍ତଙ୍କ ଉପରେ ଭାରି ପଡ଼ିବାକୁ ଯାଉଛି ଏବଂ ଏହି ସୂଚନା ଜନହିତରେ ଜାରି କରାଯାଉଛି ।’

ଏଥିରୁ ଅନୁମାନ ଲଗାଯାଉଛି ନୁସରତ ତାଙ୍କ ଅଭିନୟ ଦ୍ୱାରା ଏହି ଫିଲ୍ମରେ ସମସ୍ତ ପୁରୁଷ କଳାକାରଙ୍କ ଉପରେ ଭାରି ପଡ଼ିବେ । ଯେପରି ଭାବେ ନୁସରତ ନିଜ ଅଭିନୟ ଗ୍ରାଫ୍କୁ ବୁଝିବିଚାରି ଆଗକୁ ବଢ଼ାଉଛନ୍ତି, ସେହିପରି ଭାବେ ସେ ଖୁବଶୀଘ୍ର ସଫଳତାର ଶୀର୍ଷରେ ପହଞ୍ଚି ଟପ୍ ଅଭିନେତ୍ରୀଙ୍କ ଲିଷ୍ଟ୍ରେ ସାମିଲ ହେବେ ।

Comments are closed.