ଝାରସୁଗୁଡ଼ା/ବରଗଡ଼ : ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ସିଧାସଳଖ ସଡ଼କପଥରେ ଯୋଡ଼ିବା ପାଇଁ ହୀରାକୁଦ ଜଳଭଣ୍ଡାର ଉପରେ ସେତୁ ନିର୍ମାଣ ହେବ । ଏହା ସହିତ ବରଗଡ଼ ଜିଲ୍ଲାର ଆଉ ଦୁଇଟି ରାସ୍ତା ପ୍ରକଳ୍ପ ପାଇଁ କେନ୍ଦ୍ର ସଡକ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୩୬୮.୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେତୁଟି ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଲକର ଭିକମପାଲି ଗ୍ରାମପଞ୍ଚାୟତ ପୂଜାରୀପାଲି ଡଙ୍ଗାଘାଟରୁ ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକର ଜରିମୂଳ ଘାଟ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମିତ ହେବ । ଏଥି ପାଇଁ ୨୭୪ କୋଟି ଟଙ୍କା ଆବଣ୍ଟିତ ହୋଇଛି ।
ସେହିପରି ବରଗଡରୁ ଭଟଲି ଦେଇ ଅମ୍ବାଭନା ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତିକରଣ ତଥା ପଦ୍ମପୁର-ପାଟଣାଗଡ ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତିକରଣ ପାଇଁ ମୋଟ ଅବଶିଷ୍ଟ ୯୪.୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଏକ ପତ୍ର ଜରିଆରେ ଅବଗତ କରାଇଛନ୍ତି । ଏହି ତିନିଟି ପ୍ରକଳ୍ପ କାର୍ଯ୍ୟକୁ ଉନ୍ନିତ କରିବା ପାଇଁ ରାଜ୍ୟକୁ କେନ୍ଦ୍ରୀୟ ରାସ୍ତା ଓ ଭିତ୍ତିଭୂମି ପାଣ୍ଠି (ସିଆରଏଫ)ରୁ ଅର୍ଥ ଆବଣ୍ଟନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ଜଣାଇଛନ୍ତି । ଉପରୋକ୍ତ ତିନିଟି ପ୍ରକଳ୍ପ ପାଇଁ ଅର୍ଥ ଆବଣ୍ଟନ କରିବାକୁ ବିଜେପି ସାଂସଦ ଶ୍ରୀ ପୁଜାରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକାରୀଙ୍କୁ ଅନୁରୋଧ କରି ପତ୍ର ଲେଖିବା ପରେ କେନ୍ଦ୍ରମନ୍ତ୍ରୀ ତତ୍ପରତା ପ୍ରଦର୍ଶନ ପୂର୍ବକ ଏଥି ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ।
ସେତୁ କାମ ଶୀଘ୍ର ଆରମ୍ଭ କରିବା ପାଇଁ ଜଳଭଣ୍ଡାର ଭିତରେ ମୃତ୍ତିକା ପରୀକ୍ଷଣ ବି କରା ସରିଛି । ଏଥି ପାଇଁ ଶ୍ରୀ ପୂଜାରୀ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ, ଭିକମପାଲିରୁ ଜରିମୂଳ ସେତୁ ହୀରାକୁଦ ଜଳଭଣ୍ଡାର ଉପରେ ଦ୍ୱିତୀୟ ସେତୁ ହେବ । ଏହା ପୂର୍ବରୁ ସମ୍ବଲପୁର ଜିଲ୍ଲା ରେଂଗାଲି ନିକଟରେ ଇବ୍ ନଦୀ ମୁହାଣରେ ଆଉ ଏକ ସେତୁ ତିଆରି ହୋଇ ସାରିଛି ।

Comments are closed.