କଣ୍ଟାମାଳରେ ଉତ୍କଟ ପାନୀୟ ଜଳ ସମସ୍ୟା : ୪ଘଣ୍ଟା ମାଠିଆ ଧରି ମହିଳା କଲେ ରାସ୍ତା ରୋକ

ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ରାସ୍ତା ରୋକ ହଟିଲା

କଣ୍ଟାମାଳ : କଣ୍ଟାମାଳରେ ଦେଖାଯାଇଛି ଉତ୍କଟ ଜଳ ସମସ୍ୟା । ପ୍ରଚଣ୍ଡ ଅଗ୍ନିବର୍ଷି ରୌଦ୍ରତାପରେ ଗ୍ରାମାଞ୍ଚଳର ବିଭିନ୍ନ ଜଳ ଉତ୍ସଗୁଡିକ ଶୁଷ୍କ ହୋଇଯାଉଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସଦର କଣ୍ଟାମାଳ ଗ୍ରାମରେ ଉତ୍କଟ ହୋଇଛି ପାନୀୟ ଜଳ ସମସ୍ୟା । ଗାଁ କୁ ପାଇପ୍‌ ଯୋଗେ ଆସୁଥିବା ନଦୀ ଜଳକୁ କିଛି ମୁଷ୍ଟିମେୟ ଲୋକେ ବିଦ୍ୟୁତ୍‌ ମୋଟର ଲଗାଇ ଜଳ ନିଷ୍କାସନ କରୁଥିବା ହେତୁ ଅନେକ ନଳରେ ପାଣି ବୁନ୍ଦା ବୁନ୍ଦା ଓ କେତେକ ନଳରେ ଆଙ୍ଗୁଳି ମୋଟରେ ପାଣି ଆସୁଛି । ଫଳରେ ନିର୍ଦ୍ଧାରୀତ ସମୟପାଇଁ ଆସୁଥିବା ପାଣି ଗ୍ରାମବାସୀଙ୍କ ପାନୀୟ ଜଳର ଆବଶ୍ୟକତାକୁ ପୂରଣ କରିପାରୁନଥିବାରୁ ଉତ୍କଟ ହୋଇଛି ଜଳ ସମସ୍ୟା ।

ଏହାକୁ ବିରୋଧ କରି ଗତକାଲି ସିନ୍ଧୁଗୋରା-ମନମୁଣ୍ଡା ୪୧ ନମ୍ବର ରାଜ୍ୟ ରାଜପଥର ହାଟପଦା ଛକରେ କଣ୍ଟାମାଳ ଗ୍ରାମର ମହିଳାମାନେ ଖରାରେ ମାଠିଆ, ବାଲତି, ଗରିଆ ଧରି ଦୀର୍ଘ ୪ଘଣ୍ଟା ରାସ୍ତା ରୋକ କରିଥିଲେ । ଏହି ସମୟରେ କଣ୍ଟାମାଳ ପଞ୍ଚାୟତ କଲେଜରେ ଥିବା ନିଯୁକ୍ତି ମେଳାକୁ ଯୋଗ ଦେବା ପାଇଁ ସେହି ବାଟ ଦେଇ ଯାଉଥିବା ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଆନ୍ଦୋଳନକାରୀ ମହିଳାମାନେ ଅଟକାଇ ପାନୀୟ ଜଳ ସମସ୍ୟା ସଂପର୍କରେ ଗୁହାରୀ କରିଥିଲେ ।

ଜିଲ୍ଲାପାଳ ଶ୍ରୀ ମିଶ୍ର ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ମୋଟର ଲଗାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧର କାର୍ଯ୍ୟାନୁଷ୍ଠାନ ପାଇଁ କଣ୍ଟାମାଳ ପୋଲିସ ଓ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମହିଳାମାନେ ରାସ୍ତାରୋକ ଆନ୍ଦୋଳନରୁ ହଟିଥିଲେ ।

Govt

Comments are closed.