ନୂଆଦିଲ୍ଲୀ: ମାର୍ଚ୍ଚ ୩୧: ୟୁଏଇରେ ରିଲିଜ୍ ହେବ ଫିଲ୍ମ ଦି କାଶ୍ମୀର ଫାଇଲ୍। ଫିଲ୍ମରେ କୌଣସି ସିନ ନ କାଟି ଏହାକୁ ଏପ୍ରିଲ ୭ ତାରିଖରେ ରିଲିଜ୍ କରାଯିବ। ଦୁବାଇରେ ୧୫ ବର୍ଷରୁ ଅଧିକ ବୟସର ପିଲା ଏହି ଫିଲ୍ମ ଦେଖିପାରିବେ। ଏନେଇ ସୂଚନା ଦେଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ।ୟୁଏଇ ସେନସର ବୋର୍ଡ ପକ୍ଷରୁ ଫିଲ୍ମକୁ କ୍ଲିୟରାନ୍ସ ଦିଆଯାଇଛି ବୋଲି ବିବେକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ବିବେକ୍ଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତା ଅନୁପମ ଖେର। ୟୁଏଇରେ ଫିଲ୍ମ ରିଲିଜ୍ ହେବା ବିଷୟରେ ସୂଚନା ଦେବା ସହିତ ହର ହର ମହାଦେବ ଲେଖିଛନ୍ତି ଅନୁପମ।ଫିଲ୍ମ ରିଲିଜ୍ ହେବାର ୧୯ ଦିନ ପରେ ଆଜି ଫିଲ୍ମ ୨.୭୫ କୋଟି ଆୟ କରିଛି। ଫଳରେ ଫିଲ୍ମର ମୋଟ ବକ୍ସ ଅଫିସ୍ କଲେକ୍ସନ ୨୩୪.୦୩ କୋଟି ହୋଇଛି। କାଶ୍ମୀର ଫାଇଲ ଚଳିତ ବର୍ଷର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ହେଇପାରିଛି। ରିଲିଜ୍ ହେବାର ତୃତୀୟ ସପ୍ତାହ ଶେଷ ବେଳକୁ ଫିଲ୍ମ ୨୪୦ କୋଟି ଟଙ୍କା ଆୟ କରିଥିବ। ଆଉ ଚତୁର୍ଥ ସପ୍ତାହ ଶେଷରେ ଅର୍ଥାତ ମାସକରେ ଫିଲ୍ମ ୨୫୦ କୋଟି ପାର୍ କରିଥିବା ବୋଲି ଫିଲ୍ମ ବିଶେଷଜ୍ଞ କହିଛନ୍ତି। କିଛିଦିନ ତଳେ ୟୁଏଇରେ ଫିଲ୍ମ ରିଲିଜ୍ ଉପରେ ବ୍ୟାନ ଲଗାଯାଇଥିଲା ବୋଲି ନିର୍ଦ୍ଦେଶକ ବିବେକ ଅଗ୍ନୀହୋତ୍ରୀ ସୂଚନା ଦେଇଥିଲେ। ହେଲେ ଏବେ ସେନ୍ସର ବୋର୍ଡ କ୍ଲିୟରାନ୍ସ ଦେବା ପରେ ଏହାକୁ ବଡ଼ ବିଜୟ ବୋଲି କହିଛନ୍ତି ଫିଲ୍ମ ନିର୍ଦ୍ଦେଶକ।

Comments are closed.