ଦିଲ୍ଲୀ: ଫେବୃଆରୀ ୧୫: ଦେଶର ସୀମାରେଖାକୁ ସୁରକ୍ଷା ରଖିବା ପାଇଁ ଗୃହ ମନ୍ତ୍ରାଳୟ ତରଫରୁ ଏକ ବଡ଼ ପ୍ରୋଜେକ୍ଟ ହେବାକୁ ଯାଉଛି । ଉକ୍ତ ପ୍ରୋଜେକ୍ଟ ଅନ୍ତର୍ଗର୍ତ ଏକ ବିଷେଶ ସାଟେଲାଇଟ୍ ବା ଉପଗ୍ରହ ନିର୍ମାଣ ହେବାକୁ ଯାଉଛି, ଯାହା ପଡ଼ୋଶୀ ଦେଶ ପାକିସ୍ତାନ, ଚୀନ୍ ଓ ବାଙ୍ଗଲାଦେଶ ଉପରେ ନଜର ରଖିବ । ଏହାସହିତ ଭାରତୀୟ ସୀମାରେଖାରେ ହେଉଥିବା ପ୍ରତ୍ୟେକ ଛୋଟ ଓ ବଡ଼ ଖବର ଜଣାଇବ ।
ସୂଚନା ଅନୁସାରେ, ସାଟେଲାଇଟ୍କୁ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଜେସନ୍ (ଇସରୋ) ପ୍ରସ୍ତୁତ କରିବାକୁ ଯାଉଛି । ଏହି ସାଟେଲାଇଟ୍ ସିଧାସଳଖ ଗୃହ ମନ୍ତ୍ରାଳୟକୁ ଖବର ଦେବ । ଏନେଇ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି । ଯେଉଁଥିରେ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଇଣ୍ଟେଲିଜେନ୍ସ ବୁ୍ୟରେ, ସିଆର୍ପିଏଫ୍ ଅଧିକାରୀ, ବିଏସ୍ଏଫ୍, ଆଇଟିବିପି, ଏସ୍ଏସ୍ବି ଅଧିକାରୀମାନେ ଯୋଗ ଦେଇଛନ୍ତି । ଏହି ବୈଠକରେ ବରିଷ୍ଠ ବୈଜ୍ଞାନିକ ତଥା ‘ମଙ୍ଗଳଯାନ’ ମିଶନର ପ୍ରେଜେକ୍ଟ ଡାଇରେକ୍ଟର ଡା. ଏସ୍ ଅରୁଣାନନ୍ ମଧ୍ୟ ସାମିଲ ହୋଇଛନ୍ତି ।
ନିର୍ମାଣ ହେବାକୁ ଥିବା ସାଟେଲାଇଟ୍ର ମୂଳ ଲକ୍ଷ୍ୟ ହେଉଛି, ସୀମାରେଖା ଉପରେ ବିଶେଷ ନଜର ରଖିବା । ଏଥିପାଇଁ ସେଥିରେ କାର୍ଟୋସାଟ୍ ସିରିଜ୍, ଆର୍ଆଇଏସ୍ଏଟି ସିରିଜ୍ ଏବଂ ଆର୍ଥ ଅବଜର୍ଭେସନ୍ ଆଦି ଯନ୍ତ୍ର ଲଗାଯିବ । ଏହାଛଡ଼ା ଏହି ସାଟେଲାଇଟ୍ ଏମର୍ଜନ୍ସିରାଡାର ସିଗ୍ନାଲ ପଠାଇ ପାରିବ ।

ସୀମାରେଖାର ଫଟୋ ଉତ୍ତୋଳନ କରିବା ପାଇଁ ପୋଲାରୋଏଡ୍ କ୍ୟାମେରା, ଅଫଫିକାଲ କ୍ୟାମେରା, ଇନ୍ଫ୍ରାରେଡ୍ କ୍ୟାମେରା, ଥର୍ମାଲ କ୍ୟାମେରା ଏବଂ ହିଟ୍ ସେନ୍ସିଂ କ୍ୟାମେରା ବ୍ୟବହାର କରାଯିବ । ଯେକୌଣସି ପରିସ୍ଥିତିରେ ଏହି ସାଟେଲାଇଟ୍ କଠିନ ଭୌଗୋଳିକ ସ୍ଥିତି ଉପରେ ମଧ୍ୟ ନଜର ରଖିପାରିବାରେ ସକ୍ଷମ ହେବ । ସ୍ଥଳ ସହିତ ଏହା ଜଳ ଭାଗ ଉପରେ ମଧ୍ୟ ନଜର ରଖିପାରିବ । ଶତ୍ରୁ ପକ୍ଷରୁ ହେଉଥିବା କାର୍ଯ୍ୟକ୍ରମର ଖବର ସଂଗ୍ରହ କରି ସୂଚନା ଦେବାରେ ଏହି ସାଟେଲାଇଟ୍ ସକ୍ଷମ ହେବ ।

Comments are closed.